ରାଜ୍ୟରେ ପ୍ରଥମ : କିଟ୍ ଓ କିସ୍‌ରେ ଜାପାନୀ ଭାଷା ଓ ଉତ୍କର୍ଷ କେନ୍ଦ୍ର ଆରମ୍ଭ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ପ୍ରଥମ ଥର ପାଇଁ କିଟ୍ ଓ କିସ୍ରେ ଉଦ୍‌ଘାଟିତ ହେଲା ଜାପାନୀ ଭାଷା ଓ ଉତ୍କର୍ଷ କେନ୍ଦ୍ର । ଏହାକୁ ଉଦଘାଟନ କଲେ ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସାତୋସି ସୁଜୁକି । ଜାପାନ ଓ ମିସୁବିସିର ସହାୟତା ପାଇଁ ଧନ୍ୟବାଦ ଜଣାଇଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଡ.ସାମନ୍ତ ।

ଏହି କାର୍ଯ୍ୟକ୍ରମ ପାଇଁ ଭାରତ ସରକାରଙ୍କ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା, ମିସୁବିସି ଭାରତର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ୟୋଜି ତାଗୁଚି, ମିସୁବିସି ଭାରୀଶିଳ୍ପ ଭାରତର ପରିଚାଳନା ନିର୍ଦ୍ଦେଶକ ସୁଶେକେ ସୁତୋ ପ୍ରମୁଖ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିଲେ । ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ସାତୋସିଙ୍କ ନେତୃତ୍ୱରେ ଏକ ଜାପାନ ପ୍ରତିନିଧିମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରଥମ ଥର ଲାଗି ଓଡ଼ିଶାର କିଟ୍ ଓ କିସ୍ରେ ଏଭଳି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି ।

ଜାପାନୀ ଭାଷା କେନ୍ଦ୍ର ଆରମ୍ଭ ହେବା ଦ୍ୱାରା ଛାତ୍ରଛାତ୍ରୀ ଜାପାନୀ ଭାଷାରେ ତାଲିମ୍ ନେବାର ସୁଯୋଗ ପାଇବେ । ଏହା ତାଙ୍କୁ ବିଭିନ୍ନ ଜାପାନୀ ଶିଳ୍ପ ସଂସ୍ଥାରେ ନିଯୁକ୍ତି ପାଇବାରେ ସହାୟକ ହେବ । ଏହା ସହ ଉଭୟ ଦେଶ ମଧ୍ୟରେ ସଂପର୍କକୁ ନିବିଡ଼ କରିବାରେ ଜାପାନୀ ଭାଷା କେନ୍ଦ୍ର ସହାୟକ ହେବ । ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମରେ ୧୫୦ବର୍ଷ ପୁରାତନ ମିସୁବିସି ଗ୍ରୁପ୍ କିଟ୍ର ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନବୀଶ (ଇଣ୍ଟର୍ଣ୍ଣ) ଭାବେ ଗ୍ରହଣ କରିବ । ଏହା ବ୍ୟତୀତ ମିସୁବିସି ତାର ସିଏସ୍ଆର କାର୍ଯ୍ୟକ୍ରମ ଜରିଆରେ କିସ୍ର ଛାତ୍ରଛାତ୍ରୀଙ୍କୁ ସହଯୋଗ ଯୋଗାଇ ଦେବ ।

ଏହାସହ ଭାରତ ଓ ଜାପାନ ମଧ୍ୟରେ ଥିବା କୂଟନୈତିକ ସଂପର୍କର ୭୦ବର୍ଷ ପୂର୍ତ୍ତି ଉଭୟ ଦେଶ ପାଳନ କରିବାକୁ ଯାଉଥିବା ବେଳେ ଜାପାନ ଦୂତାବାସ, ମିସୁବିସି ଗ୍ରୁପ୍ ଓ କିଟ୍ ଓ କିସ୍ର ଏହି ମିଳିତ ପ୍ରୟାସ ଜାପାନ ଓ ଭାରତ ଉଭୟ ଦେଶର ଲୋକଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ବୃଦ୍ଧି କରିବାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିବ ବୋଲି ଡ. ସାମନ୍ତ କହିଥିଲେ ।

କାର୍ଯ୍ୟକ୍ରମରେ ଭାରତରେ ଥିବା ଜାପାନ ଦୂତାବାସ, ଭାରତ ବୈଦେଶିକ ମନ୍ତ୍ରାଳୟ ଓ ମିସୁବିସି ଗ୍ରୁପ୍ର ବରିଷ୍ଠ ପଦାଧିକାରୀଗଣ ଉପସ୍ଥିତ ଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ କିଟ୍ ଓ କିସ୍ର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.