ଆଜ୍ଞା ନମସ୍କାର, ମୁଁ ନବୀନ ପଟ୍ଟନାୟକ କହୁଛି . . . .

ଭୁବନେଶ୍ବର(କେନ୍ୟୁଜ୍): ଆଜ୍ଞା ନମସ୍କାର, ମୁଁ ନବୀନ ପଟ୍ଟନାୟକ କହୁଛି । ଆଜି ବିଭିନ୍ନ ହସ୍ପିଟାଲ ଓ ଥାନାକୁ ଆସିଥିବା ଲୋକଙ୍କ ମଧ୍ୟରୁ ୮ ଜଣଙ୍କ ସହ ସିଧାସଳଖ ଫୋନରେ ଏମିତି କହି କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଥାନା ଓ ଡାକ୍ତରଖାନା ସଂପର୍କରେ ସେମାନଙ୍କ ମତାମତ ଦେଇଥିଲେ । ଏଭଳି ଅଭିନବ ପଦକ୍ଷେପ ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ସହିଦ ନଗର ଥାନାରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ ସରକାର ଲୋଗୋ, କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ବାର୍ତ୍ତା ସମ୍ବଳିତ ଫଳକ ଉନ୍ମୋଚନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସବୁ ଥାନା ଓ ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କ ସମେତ କଟକ, ବ୍ରହ୍ମପୁର ଓ ସମ୍ବଲପୁର ବଡ ମେଡିକାଲଷର ଏହା କାର୍ଯ୍ୟକ୍ଷମ ହୋଇଛି । ଆସନ୍ତା ୩୦ ତାରିଖ ସୁଦ୍ଧା ସୁବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା ଲଗୁ ହେବ ।
ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୦ ମାର୍ଚ୍ଚ ୫ରୁ ସବୁ ବିଭାଗ ଏହାକୁ ମାନି କାମ କରିବେ । ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା କହିଛନ୍ତି ସମସ୍ତ ରୋଗୀଙ୍କ ମୋବାଇଲ ଫୋନ ନମ୍ବର ରେଜିଷ୍ଟ୍ରେସନ ହେବ । ଟୋଲ ଫ୍ରି ନମ୍ବର ୧୪୫୪୫କୁ କଲ୍ କରି ମଧ୍ୟ ରେଜିଷ୍ଟ୍ରେସନ କରିହେବ । ଯୋଜନା ଅନୁସାରେ ହସପିଟାଲକୁ ଯାଉଥିବା ରୋଗୀ ଓ ଥାନାକୁ ଅଭିଯୋଗକାରୀ ଯିବା ପରେ ସେମାନଙ୍କ ମୋବାଇଲ ଫୋନ ନମ୍ବର ପଞ୍ଜିକରଣ କରାଯିବ । ସଙ୍ଗେ ସଙ୍ଗେ ଅଭିଯୋଗକାରୀଙ୍କ ପାଖକୁ ଆସିବ ଏସଏମଏସ୍ । ଏହା ପରେ ମୁଖ୍ୟମନ୍ତ୍ରୀ ମୋ ସରକାର ପୋର୍ଟାଲରୁ ୧୦ଟି ଫୋନ ନମ୍ବରକୁ ରାଣ୍ଡାମ ସିଲେକ୍ସନ କରି ଅଭିଯୋଗକାରୀଙ୍କ ସହିତ ସିଧା କଥା ହେବେ । ଉଭୟ ଥାନା ଓ ମେଡିକାଲରେ କାମ କରିବ ମୋ ସରକାର କାର୍ଯ୍ୟକ୍ରମ । ଲୋକଙ୍କ ଫିଡ୍ବ୍ୟାକ ଆଧାରରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ସରକାର