ପୁରୀ : ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ପନ୍ତିବଡୁ ସେବକ ଶ୍ରୀ ଚନ୍ଦନ ସାମନ୍ତରାଙ୍କୁ ମହାପ୍ରଭୁଙ୍କ ସେବା ପୂଜାରୁ ନିଲମ୍ବନ କରାଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ 1955 ର 21 – ଖ (କ) ଧାରା ଅନୁସାରେ ଏହି ନିଳମ୍ବନ ଆଦେଶ ଜାରି କରାଯାଇଛି । ଏଥି ସହ ଶ୍ରୀ ସାମନ୍ତରାଙ୍କ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶକୁ ନିଷିଦ୍ଧ କରାଯାଇଛି । ଘଟଣାରେ ଶ୍ରୀ ସାମନ୍ତରାଙ୍କ ସମ୍ପୃକ୍ତି ନେଇ ରିପୋର୍ଟ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ପରବର୍ତ୍ତୀ ସମୟରେ ଯାହାର ବି ସମ୍ପୃକ୍ତି ଆସିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ସୂଚନା ମୂତାବକ ଶୁକ୍ରବାର ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଅଣସେଵାୟତଙ୍କ ଭୁଜାଲି ଚୋଟରେ ଜଣେ ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ କାର୍ଯ୍ୟରତ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ ଗୁରୁତର ଆହତ ହୋଇଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାରଯାଇଥିଲା । ଆନନ୍ଦ ବଜାରରେ ଅଣ ସେବାୟତଙ୍କ ପ୍ରାଦୁର୍ଭାବର ପ୍ରତିବାଦ କରିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ସିଂହଦ୍ୱାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଆଜି ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡୁ ସେବକଙ୍କୁ ନିଲମ୍ବନ କରାଯାଇଛି।