ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ ଘଟଣା,୪୮ ଘଣ୍ଟା ମଧ୍ୟରେ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଯାହା ଉପରେ ଭରଷା କରୁ ସେ ହିଁ ଶତ୍ରୁ ସାଜେ । ଘରେ କାମ ପାଇଁ ଆସୁଥିବା ଲୋକଙ୍କ ଉପରେ ଭରଷା କରୁଥିଲେ ସାବଧାନ ହୋଇଯାଆନ୍ତୁ ନଚେତ ଆପଣ ବି ଠକାମୀର ଶିକାର ହେବେ । ଖାଲି ଯେ ଠକାମୀର ଶିକାର ହେବେ ତା ନୁହେଁ ଆପଣଙ୍କ ଜୀବନ ପ୍ରତି ବି ବିପଦ । ଆମେ ଏମିତି କହିବାର କାରଣ ହେଉଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛତାବେଡା ଗାଁରେ ଜଣେ ବ୍ୟବସାୟୀଙ୍କ ଘରେ କାମ କରୁଥିବା ଜଣେ ଯୁବକ ତାଙ୍କ ଘରୁ ଲୁଟ ପାଇଁ ରଚିଥିଲା ଷଡ଼ଯନ୍ତ୍ର । ଘରର ଟିକନିକ କଥା ଉପରେ ନଜର ରଖୁଥିଲା । ବ୍ୟବସାୟୀଙ୍କ ଟଙ୍କା କେଉଁଠୁ ଆସୁଛି କେଉଁଠାକୁ ଯାଉଛି ସବୁ ଉପରେ ରଖୁଥିଲା କଡ଼ା ନଜର । ବ୍ୟବସାୟୀଙ୍କ ଘରେ ପୁଟି କାମ ପାଇଁ ଆସିଥିଲା ସତ କିନ୍ତୁ କେମିତି ଟଙ୍କା ଲୁଟିବ ସେଇ ଚିନ୍ତାରେ ଥିଲା । ଆଉ ସୁଯୋଗ ଦେଖି ଗତ ୧୫ ତାରିଖ ଦିନ ଟଙ୍କା ଲୁଟ୍ ଉଦ୍ୟମ କରିଥିଲା । ଟଙ୍କା ପାଇଁ ବ୍ୟବସାୟୀଙ୍କୁ ଆକ୍ରମଣ କରିବାକୁ ବି ପଛାଇ ନଥିଲା ସେହି ଯୁବକ । ତେବେ ଆସନ୍ତୁ ଜାଣିବା ପୂରା ଘଟଣା ।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛତାବେଡା ଗାଁରେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ ହୋଇଥିବା ଘଟଣା ବିଷୟରେ ଆମେ ପୂର୍ବରୁ ଖବର ପ୍ରସାରଣ କରିଥିଲୁ । ଆଉ ଏବେ ଏହି ଘଟଣାରେ ନବରଙ୍ଗପୁର ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ଘଟଣା ଘଟିବାର ୪୮ ଘଣ୍ଟା ମଧ୍ୟରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପ୍ରାୟ ଛଅ ଲକ୍ଷ ଷାଠିଏ ହଜାରରୁ ଉର୍ଦ୍ଧ ଟଙ୍କା ଅଭିଯୁକ୍ତଙ୍କ ଠାରୁ ଜବତ କରାଯାଇଛି ।
ଲୁଟ ଘଟଣା ଘଟିଥିଲା ୧୫ ତାରିଖ ଦିନ । ରାଇଘରର ବ୍ୟବସାୟୀ ମହମ୍ମଦ ହାଫିଜୁଲା ଅନସାରୀ ତାଙ୍କର ଦୁଇ କର୍ମଚାରୀଙ୍କ ସହ ରାଇଘର ନିକଟସ୍ତ ଛତାବେଡା ସାପ୍ତାହିକ ହାଟକୁ ଯାଉଥିବା ସମୟରେ ବାଟରେ ୮ ଜଣ ମୁଖାପିନ୍ଧା ଯୁବକମାନେ ତିନୋଟି ବାଇକରେ ଆସି ଲୁଟ କରିଥିଲେ । ୩ ଜଣଙ୍କୁ ଠେଙ୍ଗାରେ ଆକ୍ରମଣ କରି ଦୁବୁର୍ତ୍ତମାନେ ଟଙ୍କା ଥିବା ବ୍ୟାଗ ଲୁଟ କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଲୁଟେରାମାନଙ୍କ ଆକ୍ରମଣରେ ବ୍ୟବସାୟୀ ହାଫିଜୁଲା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ବେଳେ ତାଙ୍କର ଅନ୍ୟ ଦୁଇ ସହଯୋଗୀ ସାମାନ୍ୟ ଆହତ ହେଇଥିଲେ । ଅଭିଯୋଗ ରାଇଘର ଥାନାରେ ପହଞ୍ଚିବା ପରେ ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।
ପୋଲିସ ଏକ ଟିମ୍ ଗଠନ କରି ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗରେ ୪ ଜଣ ନାବାଳକ ମଧ୍ୟ ଅଛନ୍ତି ଓ ସେମାନଙ୍କ ଠାରୁ ୬ ଲକ୍ଷ ୬୮ ହଜାର ଟଙ୍କା, ୫ ଟି ମୋବାଇଲ ଓ ୪ ଟି ବାଇକ୍ କୁ ଜବତ କରିଛି ପୋଲିସ । ଗିରଫ ହେଇଥିବା ସମସ୍ତ ୮ ଅଭିଯୁକ୍ତଙ୍କ ଘର ଉମରକୋଟ ସହରର ବୋଲି ଜଣାପଡ଼ିଛି । ଏହା ପଛରେ ଏକ ବିରାଟ ଷଡ଼ଯନ୍ତ୍ର ରହିଛି ଓ ପଛରେ ଆଉ କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ କି ଏହି ଘଟଣା ଘଟାଇବାରେ ମାଷ୍ଟର ମାଇଣ୍ଡ ରହିଛନ୍ତି ସେମାନଙ୍କୁ ମଧ୍ୟ ଆଗାମୀ ଦିନରେ ଗିରଫ କରାଯିବ ବୋଲି କହିଛନ୍ତି ନବରଙ୍ଗପୁର ଏସପି । ତେବେ ବ୍ୟବସାୟୀଙ୍କ ଘରେ ଜଣେ ପୁଟି କାମ କରୁଥିବା ଯୁବକ ହିଁ ମୁଖ୍ୟ ଖଳନାୟକ ଯିଏ କି ବ୍ୟବସାୟୀଙ୍କର ସମସ୍ତ ତଥ୍ୟ ପ୍ରଦାନ କରିଥିଲା । ତେବେ ଉମରକୋଟ ଅଞ୍ଚଳର କିଛି ଯୁବକ ଦିନ ରାତି ପୋଲିସ ସହ ବୁଲି ଅଭିଯୁକ୍ତଙ୍କୁ ଧରିବାରେ ସାହାଯ୍ୟ କରିଥିଲେ । ଏନେଇ ଏସପି ଏହି ଯୁବକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି ଘଟଣାରେ ପୋଲିସ ଆହୁରି କିଛି ବ୍ୟକ୍ତିଙ୍କୁ ଅତି ଶୀଘ୍ର ଗିରଫ କରିବ ବୋଲି ସୂଚନା ପ୍ରଦାନ କରିଛନ୍ତି ।
ପୁଟି କାମ କରିବାକୁ ଆସିଥିବା ଯୁବକ ଯେ ବ୍ୟବସାୟୀଙ୍କ ସମସ୍ତ ତଥ୍ୟ ଦେଇ ଏମିତି କାଣ୍ଡ କରିବ କେହି କେବେ ଭାବି ବି ନଥିଲେ । ତେଣୁ ଦର୍ଶକ ବନ୍ଧୁ ଆପଣଙ୍କ ଘରକୁ କାମ କରିବାକୁ ଆସୁଥିବା ଲୋକଙ୍କ ସାମ୍ନାରେ କିଛି ବି କହିବା ପୂର୍ବରୁ ୧୦୦ ଥର ଚିନ୍ତା କରନ୍ତୁ । ଘରର ବ୍ୟକ୍ତିଗତ କଥା ନିଜ ଭିତରେ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ ଆପଣ ବି ଏମିତି ଲୁଟର ଶିକାର ହେବେ ।