ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀକୁ ନେଇ ସାରା ଦେଶରେ ଉତ୍ସାହ : ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ୭୯ ତମ ସ୍ୱାଧୀନତା ଦିବସକୁ ନେଇ ସାରା ଦେଶରେ ନାହିଁ ନ ଥିବା ଉତ୍ସାହ ।  ଏହାକୁ ପାଳନ କରିବା ପାଇଁ ସାରା ଦେଶରେ ହୋଇଛି ବ୍ୟାପକ ପ୍ରସ୍ତୁତି ।  ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳାରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।  ଏଥିରେ ଭାରତ ମାତା କି ଜୟ ଲେଖିବା ସହ ଯୁଦ୍ଧବିମାନ, ତ୍ରିରଙ୍ଗା ଆଦି ବାଲିରେ ନିର୍ମାଣ କରିଛନ୍ତି ସୁଦର୍ଶନ ।  ଏହା ସହ ସୁଦର୍ଶନ ପୁରୀ ବେଳାଭୂମିରେ ଅପରେସନ ସିନ୍ଦୂର ଥିମ୍ ରେ ସୁନ୍ଦର ବାଲୁକା ଚିତ୍ରକଳା ଗଢିଥିବା ବେଳେ ଭାରତ ମାନଚିତ୍ରରେ ସିନ୍ଦୂରର ପ୍ରତିକୃତିକୁ ଦର୍ଶାଇଛନ୍ତି ।  ଶତ୍ରୁପକ୍ଷ ଉପରେ ବିମାନ ଆକ୍ରମଣର ଝଲକ ସୁଦର୍ଶନ ତାଙ୍କ ବାଲୁକା ଚିତ୍ରକଳାରେ ନିର୍ମାଣ କରିଥିବା ବେଳେ ଏହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।

ସେହିପରି ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।  ବାଲୁକାକଳାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଏକ ସୁନ୍ଦର ଛବି ତିଆରି କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାରା ଦେଶରେ ଜନ୍ମାଷ୍ଟମୀ ଅତି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ । ଆଜି ମଧ୍ୟ ରାତ୍ରିରେ ଜନ୍ମ ଗ୍ରହଣ କରିବେ ପ୍ରଭୁ ଶ୍ରୀକୃଷ୍ଣ ।  ଏଥିପାଇଁ ଉତ୍ସବ ମୁଖର ହୋଇଉଠିଛି ଗାଁ ଠୁ ସହର ।

 

ଆହୁରି ପଢ଼ନ୍ତୁ :  ୭୯ତମ ସ୍ବାଧୀନତା ଦିବସ ପାଇଁ ସଜେଇ ହୋଇଛି ଗାନ୍ଧୀମାର୍ଗ, ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ