ଚଳିତ ବର୍ଷ ଦେଶରେ ସ୍ବାଭାବିକ ଠାରୁ ହେବ ଅଧିକ ବର୍ଷା : ଭାରତୀୟ ପାଣିପାଗ ବିଭାଗ

ଚାଷୀଙ୍କ ପାଇଁ ଖୁସି ଖବର ।  ଚଳିତ ବର୍ଷ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା  ।   ମୌସୁମୀ ଋତୁରେ ୧୦୫ ପ୍ରତିଶତରୁ ଅଧିକ ବର୍ଷା ହେବ  । ଏଲପିଏର ପରିମାଣ ୮୭ ସେଣ୍ଟିମିଟର ରହିବ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକ ନେଇ ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏଲନିନୋର ପ୍ରଭାବ ଦୂର୍ବଳ ରହିଥିବାରୁ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି  । ମୌସୁମୀ ଋତୁରେ ଅଧିକ ବର୍ଷା ଦ୍ବାରା ଭଲ ଫସଲ ଉତ୍ପାଦନ ହେବା ଆଶା ରହିଛି  ।

ଦେଶର ଅର୍ଥନୀତିକୁ ମିଳିବ ଗତି  ।   ୨୦୨୫ ମସିହା ପାଇଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ ଲଙ୍ଗ ପିରିୟଡ ଆଭରେଜର ଆକଳନ କରିଛି  ।  ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ହେବାକୁ ଥିବା ବର୍ଷାର ପରିମାଣ ୧୦୫ ପ୍ରତିଶତ ରହିବ ଆକଳନ କରାଯାଉଛି । ତେବେ ବୃଷ୍ଟିପାତର ପରିମାଣ ୫ପ୍ରତିଶତ ଅଧିକ କିମ୍ବା କମ ରହିପାରେ । ଏଲପିଏର ପରିମାଣ ୮୭ ସେଣ୍ଟିମିଟର ରହିବ । ୧୯୭୦ରୁ ୨୦୨୦ ମଧ୍ୟରେ ବର୍ଷାର ହାରାହାରି ପରିମାଣକୁ ଅନୁଧ୍ୟାନ କରି ଚଳିତ ଥର ଏଲପିଏରେ ୮୭ ସେମି ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ କହିଛନ୍ତି ।

ଭାରତ କୃଷି ପ୍ରଧାନ ଦେଶ । ଖରିଫ ଚାଷ ମୁଖ୍ୟତଃ ଦକ୍ଷିଣ ପଶ୍ଚିମ ମୌସୁମୀ ଦ୍ବାରା ପ୍ରଭାବିତ ହୋଇଥାଏ । ବର୍ଷାର ପରିମାଣ ସ୍ବାଭାବିକ ଠାରୁ ଅଧିକ ରହିବା ଦ୍ବାରା କୃଷି ଉତ୍ପାଦନ ବଢିବା ସମ୍ଭାବନା ରହିଛି । ୨୦୨୪ରେ ମଧ୍ୟ ସ୍ବାଭାବିକ ଠାରୁ ୮ପ୍ରତିଶତ ବର୍ଷା ଅଧିକ ରେକର୍ଡ ହୋଇଥିଲା । ଗତ ମୌସୁମୀ ଋତୁରେ ଦେଶରେ ୯୩୫ ମିମି ବର୍ଷା ରେକର୍ଡ ହୋଇଥିଲା ।