ଅନ୍ତର୍ଜାତୀୟ ଭଲିବଲ୍‌ ସଂଘର ୩୮ତମ ବିଶ୍ୱ କଂଗ୍ରେସ କାର୍ଯ୍ୟକ୍ରମ: ଯୋଗ ଦେଲେ ଭାରତୀୟ ଭଲିବଲ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ଅନ୍ତର୍ଜାତୀୟ ଭଲିବଲ୍‌ ସଂଘର ୩୮ତମ ବିଶ୍ୱ କଂଗ୍ରେସରେ ଯୋଗ ଦେଇଛନ୍ତି ଭାରତୀୟ ଭଲିବଲ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତ। ଏହି ଅବସରରେ ଭାରତରେ ଭଲିବଲ୍‌ର ବିକାଶ ଆଶା ଉଜ୍ଜ୍ୱଳ ବୋଲି ଡ. ସାମନ୍ତ କହିଛନ୍ତି। ନେଦରଲାଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଭଲିବଲ୍‌ ସଂଘର ୩୮ତମ ବିଶ୍ୱ କଂଗ୍ରେସରେ ଯୋଗଦେଇ ଭାରତ ବିଶେଷ କରି ଓଡ଼ିଶାରେ କିଭଳି ଭଲିବଲ୍‌ ଅଧିକ ପ୍ରସାର ଲାଭ କରିବ ସେ ନେଇ ଡ. ସାମନ୍ତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ସଦସ୍ୟ ରାଷ୍ଟ୍ରରୁ ଆସିଥିବା ୨୨୨ ଭଲିବଲ୍‌ ସଂଘ ଓ କନଫଡେରେସନ୍‌ର ସଭାପତି ଯୋଗଦେଇଛନ୍ତି। ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କଂଗ୍ରେସରେ ଭଲିବଲ୍‌ର ବିକାଶ ନେଇ ବ୍ୟାପକ ଆଲୋଚନା ହେବ।

achyuta samata2

ଏହି ଅବସରରେ ଏଫ୍‌ଆଇଭିବି ସହଯୋଗରେ କିଟ୍‌ ଓ କିସ୍‌ରେ ଏକ ଜାତୀୟ ଭଲିବଲ୍‌ ଆକାଡେମୀ ଓ କିସ୍‌କୁ ଏଫ୍‌ଆଇଭିବି ଭଲିବଲ୍‌ ଫର ସ୍କୁଲ୍‌ର ଭାରତୀୟ ନୋଡାଲ୍‌ ସେଣ୍ଟର କରିବା ପାଇଁ ଡ. ସାମନ୍ତ ଏଫଆଇଭିବିକୁ ପ୍ରସ୍ତାବ ଦେଇଥିଲେ। ଏହା ସହ ଏଫଆଇଭିବିର ପରବର୍ତ୍ତୀ ବିଶ୍ୱ କଂଗ୍ରେସ ଭୁବନେଶ୍ୱରରେ ଆୟୋଜନ ପାଇଁ ଡ. ସାମନ୍ତ ଏଫଆଇଭିବିକୁ ଅନୁରୋଧ କରିଥିଲେ। ଏହା ବ୍ୟତୀତ ଭଲିବଲ୍‌ କୋଚ ଓ ଟେକ୍‌ନିକାଲ୍‌ ଅଫିସରଙ୍କୁ ରିଫ୍ରେସର କୋର୍ସ ପ୍ରଦାନ କରିବା ପାଇଁ ଭୁବନେଶ୍ୱରରେ ଏଫ୍‌ଆଇଭିବିର ଏକ ଆଞ୍ଚଳିକ ବିକାଶ କେନ୍ଦ୍ର ସ୍ଥାପନା ନିମନ୍ତେ ଡ. ସାମନ୍ତ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ଡ. ସାମନ୍ତ ଅନ୍ତର୍ଜାତୀୟ ଭଲିବଲ୍‌ ସଂଘର ସଭାପତି ଆରି ଗ୍ରାକା, ଏଫ୍‌ଆଇଭିବିର ଜେନେରାଲ୍‌ ଡାଇରେକ୍ଟର ଫାବିଓ ଆଜେଭେଦୋଙ୍କ ସମେତ ବିଶ୍ୱର ବିଭିନ୍ନ ସଦସ୍ୟ ରାଷ୍ଟ୍ରରୁ ଆସିଥିବା ୨୨୨ ଭଲିବଲ୍‌ ସଂଘ ଓ ଫେଡେରେସନ୍‌ର ସଭାପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ୩୮ତମ ଏଫ୍‌ଆଇଭିବିର ଆଲୋଚନାଚକ୍ରରେ ବିଶ୍ୱରେ ଭଲିବଲର ବିକାଶ ନେଇ ବ୍ୟାପକ ଆଲୋଚନା କରାଯିବ। ଏଥିରୁ ଭାରତକୁ ଅନେକ ସୁଫଳ ମିଳିବ ବୋଲି ଡ. ସାମନ୍ତ ଆଶା ପୋଷଣ କରିଛନ୍ତି।

 

 

Leave A Reply

Your email address will not be published.