ବାହାର ଦୁନିଆରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଗଞ୍ଜାମ ସୋରଡ଼ା ବ୍ଳକ ଗାଜଲବାଡି ପଞ୍ଚାୟତ, ନଦୀ ଉପରେ ଗଛ ପକାଇ ଯାଆସ କରୁଛନ୍ତି ଲୋକେ
ଗଞ୍ଜାମ: ବାହାର ଦୁନିଆରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଗଞ୍ଜାମ ସୋରଡ଼ା ବ୍ଳକ ଗାଜଲବାଡି ପଞ୍ଚାୟତ । ପଞ୍ଚାୟତର ପ୍ରାୟ ୧୫ଟି ଗାଁ ଋଷିକୂଲ୍ୟା ନଦୀ ଆରପଟେ ରହିଛି । ଏହି ଗାଁ ଗୁଡ଼ିକୁ ଯିବାଆସିବା ପାଇଁ ବହୁ ହଇରାଣ ହେଉଛନ୍ତି ସ୍ଥାନୀୟ ଲୋକ । କାରଣ ଋଷିକୂଲ୍ୟା ନଦୀ ଉପରେ ପୋଲ ନାହିଁ । ବର୍ଷସାରା ଲୋକେ ଅଣ୍ଟାଏ ପାଣି ଭିତରେ ପହଁରି, ନଚେତ୍ ନଦୀ ଉପରେ ପକାଇଥିବା ଏକ ବଡ଼ କଟା ଗଛ ଉପରେ ଯାଆସ କରୁଛନ୍ତି ।
ଏହି ସବୁ ଗାଁ ପଞ୍ଚାୟତ ଠାରୁ ପ୍ରାୟ ୧୫ କିଲୋମିଟର ଏବଂ ବ୍ଳକ ଅଫିସ ଠାରୁ ୪୦ କିଲୋମିଟର ଦୂରରେ ରହିଛି । ଭତ୍ତା ଓ ରାସନକାର୍ଡରେ ଖାଦ୍ୟ ନେବା ପାଇଁ ସକାଳୁ ସନ୍ଧ୍ୟା ହୋଇଯାଏ ଏମାନଙ୍କୁ । ରାସ୍ତା ପାଇଁ ଗ୍ରାମବାସୀମାନେ ବାରମ୍ବାର ବ୍ଳକ ପ୍ରଶାସନ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ପାଖରେ ଗୁହାରି କରିଛନ୍ତି । ତଥାପି ଫଳ ଶୂନ । ଆହୁରି ମଧ୍ୟ ଗାଁକୁ କରେଣ୍ଟ ଯାଇଛି ହେଲେ ମାସରେ ଦୁଇ ତିନି ଦିନ ବିଜୁଳି ରହିଲେ ବଡ଼ କଥା । ପିଲାଙ୍କ ପାଠ ପଢା କଥା ନକହିବା ଭଲ । ନଦୀରେ ପାଣି ଯୋଗୁ ଶିକ୍ଷକ ସ୍କୁଲ ଯାଉନାହାନ୍ତି । ତେବେ ପଞ୍ଚାୟତର ସମସ୍ୟା ସମ୍ପର୍କରେ ବ୍ଳକ ପିଓଙ୍କ ସହ ଆଲୋଚନା କରାଯାଇଥିଲା । ରାସ୍ତା ଓ ପୋଲ କାମ ପାଇଁ ଟେଣ୍ଡର ସରିଛି, ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି ।