୯ଟା ୫୧ରେ ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର, ଉପସ୍ଥିତ ରହିବେ ଗଜପତି ମହାରାଜା !

ପୁରୀ : ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ରଥାରୁଢ଼ ଠାକୁରଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ଭିତରକୁ ଗଲେ ୧୧ ଜଣିଆ ଅଧିକୃତ ଟିମ୍ । ରତ୍ନଭଣ୍ଡାର ଖୋଲିବା ନେଇ ମାହେନ୍ଦ୍ର ବେଳା ସ୍ଥିର ହୋଇଛି। ସକାଳ ୯ଟା ୫୧ରେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ସମୟ ଧାର୍ଯ୍ୟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଜଷ୍ଟିସ ରଥ ।

ସେ ଆହୁରି କହିଛନ୍ତି, ଭିତର ଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର ପାଇଁ ଆଜି ଉଦ୍ୟମ କରିବୁ। ଶୁଭବେଳା ୯ଟା ୫୧ରେ ଭିତର ଭଣ୍ଡାରକୁ ଯିବୁ। ଏହି ସମୟରେ ପୁରୀ ରାଜା ଗଜପତି ମହାରାଜ ମଧ୍ୟ ଆସିପାରନ୍ତି। ଭିତର ଭଣ୍ଡାରର ସ୍ଥାନାନ୍ତର ପ୍ରକ୍ରିୟା ବେଳେ ଗଜପତି ରହିପାରନ୍ତି ବୋଲି ଜଷ୍ଟିସ ରଥ କହିଛନ୍ତି। ସେହିପରି ସ୍ନେକ୍ ହେଲ୍ପ ଲାଇନ, ଓଡ୍ରାଫ୍ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇ ସାରିଛନ୍ତି । ସାପ ଧରିବା ପାଇଁ ଆବଶ୍ୟକ ଉପକରଣ ଏବଂ ଅକ୍ସିଜେନ୍ ସିଲିଣ୍ଡର ମଧ୍ୟ ଯାଇ ସାରିଛି ।

ପୂର୍ବ ଏସଓପିକୁ ଅନୁପାଳନ କରି ସବୁ କାର୍ଯ୍ୟ କରାଯାଉଛି । ତେଣୁ ରତ୍ନଭଣ୍ଡାର ଖୋଲା କାର୍ଯ୍ୟ ପାଇଁ ସକାଳ ୮ଟାରୁ ଶ୍ରୀମନ୍ଦିର ପ୍ରବେଶରେ କଟକଣା ଲଗା ଯାଇଛି। ସିଂହଦ୍ବାର ଛାଡ଼ି ଅନ୍ୟ ତିନିଦ୍ବାର ବନ୍ଦ ରଖା ଯାଇଛି। ଶ୍ରୀମନ୍ଦିର ଭିତରକୁ ଶୋଧ କରାଯାଇଛି । ସିଂହଦ୍ବାର ଦେଇ ଅଧିକୃତ ବ୍ୟକ୍ତି ଓ ଶ୍ରୀମନ୍ଦିର ସେବାୟତ ଯିବେ।

ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲି ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ଭିତର ଭଣ୍ଡାରର ପାଳି। SOP ମୁତାବକ ୧୧ ଜଣିଆ ଅଧିକୃତ ଟିମ୍ ଜିଲ୍ଲା ଟ୍ରେଜେରୀରୁ ଚାବି ଆଣି ଭିତର ରତ୍ନଭଣ୍ଡାରରେ ପଡ଼ିଥିବା ୨ଟି ନୂଆ ତାଲା ଖୋଲିବେ। କେହି କୌଣସି ଧାତବ ପଦାର୍ଥ କିମ୍ବା ସୁନା ଅଳଙ୍କାର ପିନ୍ଧି ଯିବେ ନାହିଁ। ସମସ୍ତ ସଦସ୍ୟ ଶୁଦ୍ଧପୂତ ଭାବେ ରହିଛନ୍ତି । ଭିତର ଭଣ୍ଡାର ତାଲା ଖୋଲାଯାଇ ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ଗୁଡ଼ିକୁ ସୁରକ୍ଷିତ ଭାବେ ଖଟଶେଯ ଘରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବ। ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲାକୁ ଜଉମୁଦ ଦେଇ ସିଲ୍ କରାଯିବ । ଚାବିକୁ ପୁଣି ଟ୍ରେଜେରୀରେ ରଖାଯିବ। ଏହା ପରେ ଯାଇ ରତ୍ନଭଣ୍ଡାର ମରାମତି ଆରମ୍ଭ କରିବ ASI। ସ୍ବେଚ୍ଛାସେବୀ, ଡାକ୍ତରୀ ଟିମ୍ ମୁତୟନ ହୋଇଛନ୍ତି । ଅଳଙ୍କାର ଗୁଡ଼ିକୁ ଷ୍ଟ୍ରଙ୍ଗରୁମରେ ନୂଆ ସିନ୍ଦୁକରେ ରଖିବା ପରେ ଭିତର ରତ୍ନଭଣ୍ଡାରର ପ୍ରାଚୀନ ସିନ୍ଦୁକ ଓ ଆଲମିରା ଗୁଡ଼ିକୁ ମ୍ୟୁଜିୟମରେ ରଖିବାକୁ ଯୋଜନା କରାଯାଉଛି ।