ଟଙ୍କା ପରିଶୋଧ ପାଇଁ ଅଭିନବ ଢଙ୍ଗରେ ପ୍ରତିବାଦ, ସଭାପତିଙ୍କ ଘର ବାରଣ୍ତାରେ ଚୁଲ୍ଲି ଖୋଳି ରାନ୍ଧିଲେ ଭାତ-ତରକାରୀ

ଜଳେଶ୍ବର: ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ଟଙ୍କା ଆତ୍ମସାତ କରିଥିବା ସଭାପତିଙ୍କ ଘର ବାରଣ୍ତାରେ ଟଙ୍କା ପରିଶୋଧ ପାଇଁ ଅଭିନବ ଢଙ୍ଗରେ ପ୍ରତିବାଦ । ମହିଳାମାନେ ସଭାପତିଙ୍କ ଘର ବାରଣ୍ତାରେ ଧାରଣା ଦେବା ସହ ଚୁଲ୍ଲି ଖୋଳି ଭାତ,ତରକାରୀ ରାନ୍ଧି ଖାଇଛନ୍ତି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସରକାର ମହିଳାମାନଙ୍କୁ ରୋଜଗାରକ୍ଷମ ଏବଂ ସ୍ବାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ଜରିଆରେ ଋଣ ଯୋଗାଇ ଦେଉଛନ୍ତି । କିନ୍ତୁ କିଛି ମହିଳା ଏହାର ଦୁରୁପଯୋଗ କରୁଛନ୍ତି । ଦୀର୍ଘ ୮ ବର୍ଷ ପୂର୍ବରୁ ବ୍ୟାଙ୍କରୁ ଋଣ ହୋଇଥିବା ଟଙ୍କାକୁ ବାବା ଚନ୍ଦନେଶ୍ୱର ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ମୀରା ମିର୍ଧା ଆତ୍ମସାତ କରିଥିବା ମହିଳାମାନେ ଅଭିଯୋଗ ଆଣିଛନ୍ତି । ଏହାର ପ୍ରତିବାଦରେ ସଭାପତିଙ୍କ ଘର ସମ୍ମୁଖରେ ସଂପୃକ୍ତ ଗୋଷ୍ଠୀର ସଦସ୍ୟମାନେ ଧାରଣାରେ ବସିଛନ୍ତି । ଟଙ୍କା ନଶୁଝିବା ଯାଏଁ ଏଭଳି ପ୍ରତିବାଦ ଚାଲୁ ରହିବ ବୋଲି ମହିଳାମାନେ ପ୍ରତିକ୍ରିୟାରେ କହିଛନ୍ତି ।

ସୂଚନା ଅନୁଯାୟୀ ଜଗନ୍ନାଥପୁର ପଞ୍ଚାୟତ ଅଧୀନ ଜଗନ୍ନାଥପୁର ଗ୍ରାମର ବାବା ଚନ୍ଦନେଶ୍ୱର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ୨୦୧୭ ମସିହାରେ ଚନ୍ଦନେଶ୍ୱରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୩ ଲକ୍ଷ ୬୦ ହଜାର ଟଙ୍କା ଋଣ ନେଇଥିଲେ,ଏହି ଅର୍ଥକୁ ଗୋଷ୍ଠୀର ୧୫ ଜଣ ସଦସ୍ୟ ବାଣ୍ଟି ନେଇ ନିଜ ବ୍ୟବସାୟରେ ଲଗାଇଥିଲେ । ପ୍ରାୟ ବର୍ଷେ ପରେ ମହିଳାମାନେ ସୁଧ ଓ ଋଣ ଟଙ୍କାକୁ ନେଇ ଗୋଷ୍ଠୀର ସଭାପତି ମୀରା ମିର୍ଦ୍ଧାଙ୍କୁ ବ୍ୟାଙ୍କରେ ଜମା କରିବାକୁ ଦେଇଥିଲେ । ମାତ୍ର ଶ୍ରୀମତୀ ମିର୍ଦ୍ଧା ବ୍ୟାଙ୍କରେ ୧ ଲକ୍ଷ ଟଙ୍କା ଜମା କରିଥିବା ବେଳେ ବାକି ୨ ଲକ୍ଷ ୬୦ ହଜାର ଟଙ୍କା ଜମା କରିନଥିଲେ । ଅବଶିଷ୍ଟ ଟଙ୍କା ବ୍ୟାଙ୍କରେ କାହିଁକି ଜମା କରାଗଲା ନାହିଁ ବୋଲି ତାଙ୍କୁ ମହିଳାମାନେ ବାରମ୍ବାର ପଚାରିଥିଲେ ମଧ୍ୟ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ପୂର୍ବରୁ ବାରମ୍ବାର ଏହାକୁ ନେଇ ସଭାପତିଙ୍କ ସହିତ ଅନ୍ୟ ମହିଳା ସଦସ୍ୟାଙ୍କ ପାଟିତୁଣ୍ଡ ଜାରି ରହିଥିଲା । ମାତ୍ର ଘଟଣାର କୌଣସି ସମାଧାନ ହୋଇ ନଥିଲା ।

ତେବେ ଦୀର୍ଘ ବର୍ଷ ବିତି ଯାଇଥିବାରୁ ଏବେ ବ୍ୟାଙ୍କ କର୍ତ୍ତୃପକ୍ଷ ଗୋଷ୍ଠୀର ଜମା ଖାତାରୁ ଟଙ୍କା କାଟି ନେଉଛନ୍ତି । ଏହାଛଡା ସରକାରୀ ଶାଢୀ କିଣିବା ପାଇଁ ଦେଇଥିବା ଏକ ହଜାର ଲେଖାଏଁ ଟଙ୍କା ବି ସେମାନେ ଉଠାଇ ପାରୁ ନାହାନ୍ତି । ଫଳରେ ଟଙ୍କା ଆଦାୟ ପାଇଁ ଏଭଳି ପଦକ୍ଷେପ ନେବାକୁ ସେମାନେ ବାଧ୍ୟ ହୋଇଥିବା କହିଛନ୍ତି । ଖବର ପାଇ ଚନ୍ଦନେଶ୍ୱର ପାଣ୍ଡି ଅଧକାରୀ ବନ ବିହାରୀ ଶତପଥୀ ଘଟଣାସ୍ଥଳରେ ପହଞ୍ଚି ସଭାପତିଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ବି କୌଣସି ସୁଫଳ ମିଳିନାହିଁ । ସ୍ବୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ସହିତ ସମସ୍ତ ସଦସ୍ୟାମାନେ ଧାରଣାରେ ବସିଛନ୍ତି । ଏହାକୁ ନେଇ ସଭାପତି କହିଛନ୍ତି ଋଣ ନେଇଥିବା ଟଙ୍କାରେ ସେ ବ୍ୟବସାୟ ଆରମ୍ଭ କରିଥିଲେ । କିନ୍ତୁ ବ୍ୟବସାୟ କ୍ଷତି ହେବାରୁ ସେ ଋଣ ଟଙ୍କା ସୁଝି ପାରିନାହାନ୍ତି, ତେଣୁ ଆସନ୍ତା ଦିନରେ ଆର୍ଥିକ ସ୍ଥିତି ସୁଧୁରିଲେ ଟଙ୍କା ସୁଝିବେ ବୋଲି କହିଛନ୍ତି ।