ଅଗ୍ନିଶମ ସାର୍ଟିଫିକେଟ୍‌ ପ୍ରଦାନରେ ବିଳମ୍ବ ଅଭିଯୋଗ ନେଇ ଆରମ୍ଭ ହୋଇଛି ଖୋଳତାଡ଼, ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ

କେନ୍ୟୁଜ୍(ବ୍ୟୁରୋ): ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ । ଅଗ୍ନିଶମ ସାର୍ଟିଫିକେଟ୍‌ ପ୍ରଦାନରେ ବିଳମ୍ବ ଅଭିଯୋଗ ନେଇ ଆରମ୍ଭ ହୋଇଛି ଖୋଳତାଡ଼ ।  ପୂର୍ବତନ ଫାୟାର ଡିଜି ବି କେ ଶର୍ମାଙ୍କ ବିରୋଧରେ ଆସିଥିବା ସଙ୍ଗୀନ ଅଭିଯୋଗ ନେଇ ଛାନଭିନ୍‌ କରୁଛନ୍ତି ତିନି ଜଣିଆ ଉଚ୍ଚସ୍ତରୀୟ କମିଟି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ମୁଖ୍ୟ ଶାସନ ସଚିବଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ଗୃହ ସଚିବ ସଞ୍ଜିବ ଚୋପ୍ରା ମଧ୍ୟ ଉପସ୍ଥିତ ଅଛନ୍ତି ।

ଏହାସହ ପୋଲିସ ଡିଜି, ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି ସତ୍ୟଜିତ ମହାନ୍ତି ଯୋଗ ଦେଇଛନ୍ତି । ଫାୟାର ସାର୍ଟିଫିକେଟ ପ୍ରଦାନରେ ବିଳମ୍ବ ନେଇ ଚାଲିଛି ଛାନଭିନ୍‌ । କାହିଁକି ଅଗ୍ନିଶମ ସାର୍ଟିଫିକେଟ୍‌ ପ୍ରଦାନରେ ହେଲା ବିଳମ୍ବ ? ଆବେଦନ କରିଥିବା ସଂସ୍ଥାଙ୍କର ତ୍ରୁଟି ଥିଲା ନା ଜାଣିଶୁଣି ବିଳମ୍ବ କରାଯାଇଛି ? ଠିକ୍‌ ସମୟରେ ସାର୍ଟିଫିକେଟ ନ ଦେବାର ମୁଖ୍ୟ କାରଣ କ’ଣ ? ରହସ୍ୟଜନକ ପ୍ରଶ୍ନର ଉତ୍ତର ଖୋଜୁଛି ୩ ଜଣିଆ କମିଟି । ନଭେମ୍ବର ୨୦ରେ ବି କେ ଶର୍ମାଙ୍କୁ ଡିଜି ପଦରୁ ହଟାଇ ଦିଆଯାଇଥିଲା ।

ସେହିଦିନ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଖୋଳତାଡ କରିବାକୁ ନିର୍ଦେଶ ହୋଇଥିଲା । ଏହାପରେ ଗୋଟିଏ ବୈଠକ ବସିଥିଲା । ଆଜି ହେଉଛି ଦ୍ୱିତୀୟ ବୈଠକ । ପ୍ରଥମ ବୈଠକରେ ଗତ ୨ବର୍ଷ ଭିତରେ କେତୋଟି ସାର୍ଟିଫିକେଟ୍‌ ଦିଆଯାଇଛି, କେତୋଟି ବାତିଲ କରାଯାଇଛି ସେନେଇ ଆଲୋଚନା ହୋଇଥିଲା । ସେହିଭଳି ଯେଉଁମାନଙ୍କର ବିଳମ୍ବ ହୋଇଛି, ସେମାନେ କେବେ ଠାରୁ ଆବେଦନ କରିଥିଲେ ? କାହା ପାଖରେ ଏହି ଫାଇଲ ପଡ଼ିି ରହିଥିଲା ? ଏସବୁର ଖୋଳତାଡ଼ ହୋଇଥିଲା । ଯେଉଁ ମାନଙ୍କୁ ସାର୍ଟିଫିକେଟ ଦିଆଯାଇଛି ସେମାନଙ୍କର କାଗଜପତ୍ର ଯାଞ୍ଚ ହୋଇଛି । ସେହିଭଳି ଯେଉଁମାନଙ୍କୁ ସାର୍ଟିଫିକେଟ ବାତିଲ କରାଯାଇଛି, କେଉଁ ପରିସ୍ଥିତିରେ ବାତିଲ ହେଲା ତାହାର ଉତ୍ତର ମଗାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.