ନୌସେନାରେ ସାମିଲ ହେଲା ଆଇଏନଏସ ବିକ୍ରାନ୍ତ, କୋଚି ସିପ୍‌ୟାର୍ଡରୁ କମିସନ କଲେ ମୋଦି

କେନ୍ୟୁଜ୍(ବ୍ୟୁରୋ): ସମୁଦ୍ରରେ ବାହୁବଳି INS ବିକ୍ରାନ୍ତ । ଭାରତୀୟ ନୌସେନାକୁ ମିଳିଲା ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍‌ଟ କ୍ୟାରିଅର ଜାହାଜ । ନୌସେନାରେ ସାମିଲ ହେଲା ଆଇଏନଏସ ବିକ୍ରାନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଚି ସିପ୍‌ୟାର୍ଡରୁ ଏହାକୁ କମିସନ କରିଛନ୍ତି । ଭାରତ ମହାସାଗର ଓ ଭାରତ-ପ୍ରଶାନ୍ତ ମହାସଗରୀୟ କ୍ଷେତ୍ରରେ ସୁରକ୍ଷା କବଚ ସାଜିବ ଆଇଏନଏସ୍‌ ବିକ୍ରାନ୍ତ । ୧୭ ବର୍ଷର ଲମ୍ବା ଅପେକ୍ଷା ପରେ ଭାରତୀୟ ନୌସେନାରେ ଏହାର ଜଳାବତରଣ ହୋଇଛି। ୨୦ ହଜାର କୋଟି ଟଙ୍କାରେ ନିର୍ମିତ ସର୍ବବୃହତ ୱାର୍‌ସିପ୍‌ ଏବେ ଭାରତ ପାଇଁ ସାମରିକ କ୍ଷେତ୍ରରେ ବଡ଼ ଶକ୍ତି ହୋଇ ଛିଡ଼ା ହୋଇଛି । ୪୫ ହଜାର ଟନ୍‌ର ୱାର୍‌ସିପ୍‌ରେ ୩୦ଟି ଏୟାରକ୍ରାଫ୍ଟ ରହି ପାରିବ । ମିଗ୍‌-୨୯, ଆଡଭାନ୍‌ସଡ ଲାଇଟ୍‌ ହେଲିକପ୍ଟର, ଲାଇଟ୍‌ କମ୍ବାକ୍ଟ ଏୟାରକ୍ରାଫ୍ଟ ଆଦି ରହିପାରିବ । ଏହାକୁ ନିଜର ଲଢୁଆ ବିମାନ ମିଳିବାକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ।

ins vikrant

ବର୍ତ୍ତମାନ କେବଳ ଏହାର ଏୟାରକ୍ରାଫ୍‌ଟ କ୍ୟାରିଅର ଡେକ୍‌ ଉପରେ ରୁଷରେ ଡିଜାଇନ ହୋଇଥିବା କିଛି ମିଗ୍‌ ଓ ସୁଖୋଇ ଫାଇଟର ଜେଟ୍‌ ମୁତୟନ ହେବ । ସମୁଦ୍ରରେ ଅନେକ ସମୟରେ ଚୀନ୍‌ ତାର ଦବ୍‌ଦବା ଦେଖାଉଥିବା ବେଳେ ମୁହଁତୋଡ ଜବାବ ଦେବାକୁ ତୟାର ଆଇଏନଏସ୍‌ ବିକ୍ରାନ୍ତ । INS ବିକ୍ରାନ୍ତର ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିକ୍ରାନ୍ତ ଆତ୍ମନିର୍ଭର ଭାରତର ପ୍ରତୀକ। ଏହା ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି। INS ବିକ୍ରାନ୍ତ’ ଭାରତର ଗର୍ବ। ଭାରତର ଅଦ୍ୱିତୀୟ ପ୍ରତିବିମ୍ବ ହେଉଛି ବିକ୍ରାନ୍ତ। ବିକ୍ରାନ୍ତ ଦେଶକୁ ନୂଆ ବିଶ୍ୱାସରେ ଭରିଦେଇଛି। INS ବିକ୍ରାନ୍ତ ନୌସେନାରେ ସାମିଲ ହେବା ପରେ ଆହୁରି ଅଧିକ ସଶକ୍ତ ହୋଇଛି ଭାରତୀୟ ନୌସେନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.