ମଣ୍ଡିରେ ଧାନ କିଣା ନଯାଇ ମିଲରଙ୍କ ପାଖକୁ ପଠାଯାଉଛି, ସେଠାରେ ବିଭନ୍ନ ଆଳ ଦେଖାଇ ଚାଷୀଙ୍କୁ କରାଯାଉଛି ହଇରାଣ

ଗଜପତି: ବର୍ଷ ତମାମ ଖରା,ବର୍ଷା ଓ ଶୀତରେ ଖଟି କରିଥିବା ଫସଲ ଠିକ ଅମଳ ସମୟରେ ଦୈବୀ ଦୁର୍ବିପାକ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା । ହେଲେ ଏବେ ପ୍ରଶାସନିକ ଅବହେଳା ସେମାନଙ୍କୁ ସଂପୂର୍ଣ୍ଣ ଭାବେ ନିରାଶ କରିଛି । ଜିଲ୍ଲାରେ ପ୍ରତିବର୍ଷ ନଭେମ୍ବର ଶେଷ ସପ୍ତାହରେ ମଣ୍ଡି ଖୋଲାଯାଉଥିଲା । ହେଲେ ଚଳିତ ବର୍ଷ ଜାନୁୟାରୀ ୭ତାରିଖରେ ଆରମ୍ଭ କରାଯାଇଛି । ଏହି ଦେଢ ମାସର ବିଳମ୍ବ ଯୋଗୁଁ ଚାଷୀମାନେ ନିଜ ଅମଳ ଧାନକୁ କ୍ଷେତ୍ରରେ ପକାଇ ରଖିଥିଲେ । ଠିକ ଏହି ସମୟରେ ଅଦିନିଆ ବର୍ଷା ମାଡରେ ଧାନ ଭିଜି ନଷ୍ଟ ହୋଇଯାଇଥିଲା ।
ଗୋଟିଏ ପଟେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀ ନାହିଁ ନଥିବା ଅସୁବିଧା ଭୋଗ କରିଥିବା ବେଳେ ଏବେ ମଣ୍ଡିରେ ଧାନ କିଣା ନଯାଇ ମିଲରଙ୍କ ନିକଟକୁ ପଠାଯାଉଛି । ମଣ୍ଡିରେ ଧାନର ମାନ ଯାଞ୍ଚ କରାଯାଉଥିବା ବେଳେ ମିଲର ମାନେ ପୁଣିଥରେ ଯାଞ୍ଚ କରି କଟଣି ଛଟଣି କରୁଛନ୍ତି । ଯାହାକୁ ନେଇ ଚାଷୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନକୁ ଘେରିଛନ୍ତି ।
ଅଦିନିଆ ବର୍ଷାରେ ଚାଷୀର ଫସଲ ନଷ୍ଟ ହୋଇଥିବା ବେଳେ ଏବେ ପ୍ରଶାସନିକ ଅବହେଳା ସେମାନଙ୍କୁ କନ୍ଦାଉଛି । ଏନେଇ ସ୍ଥାନୀୟ ବିଧାୟକ କହିଛନ୍ତି ଯେ, ଅଦିନିଆ ବର୍ଷା ପରେ ମୁଖ୍ୟମନ୍ତ୍ରୀ ନିଜେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ଚାଷୀଙ୍କ ସମସ୍ୟା ଦୂର ହେବ ବୋଲି ଆଶା ରହିଥିଲା । ହେଲେ ଆଜି ଯାଏଁ ଚାଷୀଙ୍କୁ କ୍ଷତିପୁରଣ ଦେବା ତ ଦୂରର କଥା ସେମାନଙ୍କ ବେରଙ୍ଗି ଧାନକୁ କିଣିବା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ହୋଇନାହିଁ । କେବଳ ସେତିକି ନୁହେଁ, ଅଧିକାଂଶ ମଣ୍ଡିରେ କୌଣସି ବ୍ୟବସ୍ଥା ନାହିଁ । ଏପରିକି ଗୋଷାଣି ବ୍ଲକରେ ଆଜି ଯାଏଁ ଗୋଟିଏ ବି ଧାନ କିଣାଯାଇନାହିଁ । ଯାହା ଚାଷୀଙ୍କୁ କଷ୍ଟ ଦେଉଛି ବୋଲି ବିଧାୟକ କହିଛନ୍ତି । ଏନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, କିଛି ସ୍ଥାନରେ ଅବ୍ୟବସ୍ଥା ହୋଇଥିବା କଥା ସତ । କିନ୍ତୁ ଏହାର ସମାଧାନ ପାଇଁ ପ୍ରୟାସ ଜାରି ରହିଛି ଏବଂ ଅତିଶୀଘ୍ର ,ହା ହେବ ବୋଲି ସେ କହିଛନ୍ତି ।