ବିକାଶର ବିକଳ ଚିତ୍ର: ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ବଦଳରେ ନେଟୱାର୍କ ଖୋଜି ଜଙ୍ଗଲ ନିକଟରେ ରହୁଛି ୧୦୮ ଆମ୍ବୁଲାନ୍ସ

ବିକାଶର ବିକଳ ଚିତ୍ର ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକରେ । ସ୍ବାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ସେବା ସ୍ବାସ୍ଥ୍ୟ କେନ୍ଦ୍ରରେ ରହିବା ବଦଳରେ ନେଟୱାର୍କ ଖୋଜି ଜଙ୍ଗଲ ନିକଟରେ ରହୁଛି । ଦିନେ ଏହି ଅଞ୍ଚଳ ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ରହିଥିଲା, ଧୀରେ ଧୀରେ ସ୍ଥିତିରେ ସୁଧାର ଆସିଛି କିନ୍ତୁ ଅଞ୍ଚଳରେ ଆଖି ଦୃଶିଆ ବିକାଶ ହୋଇପାରି ନାହି ଫଳରେ ଲୋକଙ୍କୁ ନାହି ନ ଥିବା ଅସୁବିଧାର ସମୁଖୀନ ହେବାକୁ ପଡୁଛି ।

ବିକାଶର ବିକଳ ଚିତ୍ର ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକରେ । ସ୍ବାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ସେବା ସ୍ବାସ୍ଥ୍ୟ କେନ୍ଦ୍ରରେ ରହିବା ବଦଳରେ ନେଟୱାର୍କ ଖୋଜି ଜଙ୍ଗଲ ନିକଟରେ ରହୁଛି । ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ୯ଟି ପଞ୍ଚାୟତ ନେଇ ଗଠିତ । ଦିନେ ଏହି ଅଞ୍ଚଳ ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ରହିଥିଲା, ଧୀରେ ଧୀରେ ସ୍ଥିତିରେ ସୁଧାର ଆସିଛି କିନ୍ତୁ ଅଞ୍ଚଳରେ ଆଖି ଦୃଶିଆ ବିକାଶ ହୋଇପାରି ନାହି ଫଳରେ ଲୋକଙ୍କୁ ନାହି ନ ଥିବା ଅସୁବିଧାର ସମୁଖୀନ ହେବାକୁ ପଡୁଛି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପେନଡ଼ିଲି ପଞ୍ଚାୟତ ଅନ୍ତର୍ଗତ ଗୌଡ଼ ଢେପାଗୁଡ଼ା ଗ୍ରାମରେ ।

ଏହି ଗ୍ରାମ ତଥା ଆଖପାଖ ପଞ୍ଚାୟତ ବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଗ୍ରାମରେ ରହିଛି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର । ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ହେଲା ଡାକ୍ତର ନାହାନ୍ତି ଫଳରେ ଫର୍ମାସିଷ୍ଟଙ୍କ ଭରସାରେ ଚାଲିଛି ଏହି ସ୍ବାସ୍ଥ୍ୟ କେନ୍ଦ୍ର । ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ କିଛି ମାସ ତଳେ ରାଜ୍ୟ ସରକାରଙ୍କ ତରଫରୁ ୧୦୮ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି କିନ୍ତୁ ଅଞ୍ଚଳରେ ମୋବାଇଲ ନେଟୱାର୍କ ନ ଥିବାରୁ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ଆମ୍ବୁଲାନ୍ସଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ୩ କିଲୋମିଟର ଦୂରରେ ଏକ ଜଙ୍ଗଲ ନିକଟରେ ରହୁଛି । ଆମ୍ବୁଲାନ୍ସର କର୍ମଚାରୀ ଦିନ ତମାମ ଆମ୍ବୁଲାନ୍ସକୁ ଜଗି ରହୁଛନ୍ତି କାରଣ ସେହି ସ୍ଥାନରେ ହିଁ ମୋବାଇଲ ନେଟୱାର୍କ ରହୁଛି ।

କଲ ଆସିବା ପରେ ବାହାରି ସମ୍ପୃକ୍ତ ଗ୍ରାମରେ ପହଞ୍ଚି ରୋଗୀଙ୍କୁ ଡାକ୍ତରଖାନାକୁ ଆଣୁଛନ୍ତି ତେଣୁ ଏହି ଅଞ୍ଚଳରେ ଯଥାଶୀଘ୍ର ନେଟୱାର୍କ ଚାଲୁ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ଗୁଡ଼ାରୀ ବ୍ଲକର ଉପାନ୍ତ ଅଞ୍ଚଳ ଭାବେ ପରିଚିତ କର୍ଲାଘାଟି, ମଧୁବନ ପେନଡ଼ିଲି ପଞ୍ଚାୟତର ଲୋକେ ସ୍ବାସ୍ଥ୍ୟ ସେବାଠାରୁ ଆରମ୍ଭ କରି ବ୍ୟାଙ୍କସେବା, ପୋଷ୍ଟାଲ ଓ ରାଜସ୍ବ ବିଭାଗ ସେବା ପାଇଁ ଏହି ଗ୍ରାମ ଉପରେ ନିର୍ଭର କରୁଥିବା ବେଳେ ନେଟୱାର୍କ ନ ଥିବାରୁ ସମସ୍ତ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଗାମୀ ଦିନରେ ଯଦି ଅଞ୍ଚଳରେ ନେଟୱାର୍କ ପ୍ରତିଷ୍ଠା କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନ କରାଯାଏ ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଉପାନ୍ତ ଅଞ୍ଚଳରେ ନେଟୱାର୍କ ସମସ୍ୟା ସମ୍ପର୍କରେ ଗୁଡ଼ାରୀ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସ ପ୍ରକାଶ କରିଛନ୍ତି ଯେ ବ୍ଲକର କିଛି ପଞ୍ଚାୟତରେ ନେଟୱାର୍କ ସମସ୍ୟା ରହିଛି ଓ ଅନ୍ୟ କିଛି ଜାଗାରେ ଟାୱାର ମଧ୍ୟ ପ୍ରତିଷ୍ଠା ହୋଇଛି କିନ୍ତୁ କୌଣସି କାରଣବଶତଃ ଚାଲୁ ହୋଇ ପାରିନାହି ତେଣୁ ଯଥାଶୀଘ୍ର ଚାଲୁ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି । କେବେ ହେବ ଅଞ୍ଚଳ ରେ ମୋବାଇଲ ଟାୱାର କାର୍ଯ୍ୟକ୍ଷମ ଆଉ କେବେ ଲୋକେ ପାଇବେ ଏହାର ସୁବିଧା ତାହା ଦେଖିବାକୁ ବାକି ରହିଲା ।

You might also like