କିଟ୍ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ ‘ବ୍ଲୁ ଇକୋନୋମି’, ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର : ଏମ୍ପାୱାରିଂ ସଷ୍ଟେନେବଲ୍ ଗ୍ରୋଥ ଥ୍ରୁ ମେରାଇନ୍ ଇକୋସିଷ୍ଟମ୍’ ବିଷୟବସ୍ତୁକୁ ନେଇ କିଟ୍ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ ‘ବ୍ଲୁ ଇକୋନୋମି’ ଗୁରୁବାର ଉଦ୍ଘାଟିତ ହୋଇଯାଇଛି । ଭାରତର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କାର୍ଯ୍ୟାଳୟ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍, ଆଇଆଇଟି ରୋପର, ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ କାଉନ୍ସିଲ୍, ବିଜ୍ଞାନ ଭାରତୀ, କିଟ୍ ବିଶ୍ୱବିଦ୍ୟାଳୟ, କିଟ୍ ସ୍କୁଲ୍ ଅଫ୍ ବାୟୋଟେକ୍ନୋଲୋଜି, ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର ଫାଉଣ୍ଡେସନ୍ (ବିସିକେଆଇସି)ର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ହେଉଛି ।
୨୩ ଓ ୨୪ ତାରିଖ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ଉପରେ ଆଲୋକପାତ କରି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭାରତର ସାମୁଦ୍ରିକ ଅର୍ଥନୈତିକ ଦୃଷ୍ଟିକୋଣରେ ରାଜ୍ୟର ରଣନୀତି ଉପରେ ଆଲୋକପାତ କରିଥିଲେ।
ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ସଚିବ ଡ. ରାଜେଶ ଗୋଖଲେ ବିକଶିତ ଭାରତ ପାଇଁ ବାୟୋ-ଇନୋଭେସନ୍ ଉପରେ ଗୁରୁତ୍ୱାରୋପ କରି କହିଥିଲେ, ସାମୁଦ୍ରିକ ସଂପଦର ଉପଯୋଗ ଯୋଗୁଁ ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ ସହାୟକ ହୋଇପାରିବ।
ଭାରତ ସରକାରଙ୍କ ସାଇନ୍ଟିଫିକ୍ ସଚିବ ଡ. ପରମିନ୍ଦର ମୈନି ଏବଂ ବ୍ରିକ-ଆଇଏଲଏସର ନିର୍ଦ୍ଦେଶକ ଡ ଦେବାଶିଷ ଦାଶ ଏବଂ କିଟ୍ର ଗବେଷଣା ଓ ସର୍ଜନା ମହାନିର୍ଦ୍ଦେଶକ ପ୍ରଫେସର ମୃତ୍ୟୁଞ୍ଜୟ ସୁଆର ମଧ୍ୟ ସାମୁଦ୍ରିକ ଅର୍ଥନୀତି ସୁଯୋଗ ଉପରେ ସେମାନଙ୍କର ମତ ରଖିଥିଲେ ।
କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉନ୍ନତ ଜୀବିକା ଏବଂ ନିଯୁକ୍ତି ସୃଷ୍ଟି ଦିଗରେ ସାମୁଦ୍ରିକ ଅର୍ଥନୀତିର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ । ସାମୁଦ୍ରିକ ସମ୍ବଳର ଅର୍ଥନୈତିକ ସୁବିନିଯୋଗ ଦିଗରେ ଅଧିକ ଗବେଷଣା କରାଯିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି।
ବିଶ୍ୱର ବିଭିନ୍ନ ସ୍ଥାନରୁ ନୀତି ନିର୍ଦ୍ଧାରକ, ଗବେଷକ ଏବଂ ଛାତ୍ରଛାତ୍ରୀଙ୍କ ସମେତ ୮୦୦ ରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମୁଦ୍ରିକ ବାୟୋଟେକ୍ନୋଲୋଜି, ଜଳକୃଷି ଏବଂ ପର୍ଯ୍ୟଟନ କ୍ଷେତ୍ରର ବିଶେଷଜ୍ଞ ୫୦ଟି ଷ୍ଟାର୍ଟଅପ୍ କଂପାନୀ ପ୍ରଦର୍ଶିତ ହୋଇଥିଲା।