ଆଜି ଅନ୍ତର୍ଜାତୀୟ ବାଘ ଦିବସ : ଶହେ ବର୍ଷରେ ୯୫ ପ୍ରତିଶତ ବାଘ ଲୋପ

ଜଙ୍ଗଲ ରାଜା ଅସ୍ତିତ୍ୱ ବଞ୍ଚାଇବାକୁ ଏବେ ସଂଘର୍ଷ କରୁଛି । ଶହେ ବର୍ଷରେ ପ୍ରାୟ ୯୫ ପ୍ରତିଶତ ବାଘ ଲୋପ ପାଇଗଲେଣି । ୯ଟି ପ୍ରଜାତିରୁ ୩ଟି ଏବେ ବିଲୁପ୍ତ । ଆମଦେଶରେ ବାଘକୁ ବଞ୍ଚାଇବା ପାଇଁ ଉଦ୍ୟମ ଚାଲିଛି । ବିଶ୍ୱର ପ୍ରାୟ ଅଧାବାଘ ଭାରତରେ ଅଛନ୍ତି । ଓଡ଼ିଶାରେ ଅଛନ୍ତି ମୋଟ ୪୦ଟି । ଓଡ଼ିଶାରେ ମଧ୍ୟ ବାଘ ସଂଖ୍ୟା ବଢ଼ାଇବାକୁ ଉଦ୍ୟମ ହେଉଛି ।

ପାୱାର, କରେଜ୍, ଷ୍ଟ୍ରେଥ୍ ହେଉଛି ବାଘର ପ୍ରତୀକ । ତଥାପି ବର୍ତ୍ତମାନ ବିଶ୍ୱରେ ବଞ୍ଚିବା ଲାଗି ସଂଘର୍ଷ କରି ହାରୁଛନ୍ତି । ଶିକାରୀ ଜନ୍ତୁ, ନିଜେ ଶିକାର ହେଉଛନ୍ତି । ସେମାନଙ୍କ ବସତି ଧ୍ୱଂସ ପାଇବାରେ ଲାଗିଛି । ଶହେ ବର୍ଷେ ତଳେ ଯେତେ ବାଘ ଥିଲେ, ବର୍ତ୍ତମାନ ସେହି ସଂଖ୍ୟା ମାତ୍ର ୫ ପ୍ରତିଶତ । ଅର୍ଥାତ ୯୫ ପ୍ରତିଶତ ବାଘ ଲୋପ ପାଇଛନ୍ତି । ବାଘ ୯ଟି ପ୍ରଜାତିର ଥିଲେ । ତିନିଟି ପ୍ରଜାତି ବିଲୁପ୍ତ ହୋଇ ସାରିଛନ୍ତି । ବେଙ୍ଗଲ ଟାଇଗର, ଇଣ୍ଡୋ ଚାଇନିଜ୍, ମାଲିୟନ, ସାଇବେରିଆନ, ସୁମାତ୍ରାନ୍ ଓ ସାଉଥ ଚାଇନା ଟାଇଗର ପ୍ରଜାତି ରହିଛି । ଏଥିରୁ ବି ଅଧିକାଂଶ ବିଲୁପ୍ତ ହେବା ଉପରେ।

ଏସିଆ ମହାଦେଶରେ ହିଁ ବାଘ ଦେଖାଯାଆନ୍ତି । ଏବେ କେବଳ ୧୪ଟି ଦେଶରେ ପ୍ରାୟ ୩୯ ଶହ ବାଘ ଅଛନ୍ତି । ସେଥିରୁ ପ୍ରାୟ ଅଧା କେବଳ ଭାରତରେ । ଓଡ଼ିଶାରେ ୪୦ଟି ରୟାଲ ବେଙ୍ଗଲ ଟାଇଗର ଥିବା ବେଳେ ସେଥିରୁ କେବଳ ଶିମିଳିପାଳରେ ହିଁ ୨୬ଟି ରହିଛନ୍ତି । ଅନ୍ୟ ୧୪ଟି ରାଜ୍ୟର ଆଉ ଛଅଟି ସ୍ଥାନରେ ଅଛନ୍ତି ।ଦେଶରେ ବାଘ ସଂରକ୍ଷଣ ପାଇଁ ୧୯୭୩ରେ ଆରମ୍ଭ ହୋଇଥିଲା ପ୍ରୋଜେକ୍ଟ ଟାଇଗର। ଏହାସହ ୨୦୦୫ରେ ଗଠନ ହୋଇଥିଲେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି । ବାଘ ବଂଶବୃଦ୍ଧି ପାଇଁ ସବୁଆଡ଼େ ପ୍ରୟାସ ହେଉଛି । ଓଡ଼ିଶାର ସାତକୋଶିଆ ଜଙ୍ଗଲରେ ବାଘ ନଥିଲେ । ଏଠାରେ ବାଘ ସଂଖ୍ୟା ବଢାଇବାକୁ ମଧ୍ୟପ୍ରଦେଶରୁ ଦୁଇଟି ବାଘ, ମହାବୀର ଓ ସୁନ୍ଦରୀ ଆସଛନ୍ତି। ମହାବୀରକୁ ଜଙ୍ଗଲରେ ଛଡାଯାଇଛି। ଖୁବ ଶୀଘ୍ର ସୁନ୍ଦରୀକୁ ଏନକ୍ଲୋଜରରୁ ମୁକ୍ତ କରାଯିବ ।

ଖାଦ୍ୟ ଶୃଙ୍ଖଳରେ ଏକ ପ୍ରମୁଖ ଅଂଶ ବାଘ। ଏହା ଲୋପ ପାଇବା ଅର୍ଥ, ପରିବେଶ ନଷ୍ଟର ସଙ୍କେତ । ତେଣୁ ବାଘ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ଜୁଲାଇ ୨୯ରେ ପାଳିତ ହେଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.