ଅନ୍ତର୍ଜାତୀୟ ମହିଳା ଦିବସ: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ‘ୟୁଥ୍ କନକ୍ଲେଭ’: ‘‘ନାରୀମାନଙ୍କୁ ଉଚିତ ସୁଯୋଗ, ସମ୍ମାନ ଓ ସମାନତା ପ୍ରଦାନ ଉପରେ ଗୁରୁତ୍ୱ’’

ଭୁବନେଶ୍ୱର : ନାରୀ ହେଉଛନ୍ତି ଆମ ସମାଜର ଶକ୍ତି। ତେଣୁ ସେମାନଙ୍କୁ ଉଚିତ ସୁଯୋଗ ଓ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସମାନତା ସୃଷ୍ଟି କରିବା ଗୁରୁତ୍ୱପୂର୍ଣ୍ଣ। ଏ ଦିଗରେ ଆଜି ସମାଜରେ ଯେଉଁସବୁ ଆହ୍ୱାନ ଓ ପ୍ରତିବନ୍ଧକ ରହିଛି ତାକୁ ଆମେ ସମସ୍ତେ ମିଳିମିଶି ଦୂର କରିବା ଆବଶ୍ୟକ ବୋଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଯୁବ ସମ୍ମିଳନୀରେ ମତ ପ୍ରକାଶ ପାଇଛି।
‘‘ନାରୀ ହେଉଛି ସମୃଦ୍ଧିର ବାର୍ତ୍ତାବହ। ସେମାନେ ସଶକ୍ତ ହେଲେ ହିଁ ରାଜ୍ୟ ତଥା ଦେଶର ବିକାଶ ହୋଇପାରିବ। ତେଣୁ ପରିବାର ହେଉ ବା ସମାଜ, ସବୁଠି ମହିଳାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ନାରୀଙ୍କୁ ସବୁ କ୍ଷେତ୍ରରେ ଉଚିତ ସୁଯୋଗ ଓ ସମ୍ମାନ ମିଳିଲେ ସେମାନେ ଏକ ପୂର୍ଣ୍ଣ ବିକଶିତ ଦେଶ ଗଠନରେ ସହାୟକ ହେବେ,’’ ବୋଲି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ । ଓଡ଼ିଶାଲାଇଭର ନିର୍ଦ୍ଦେଶିକା ପ୍ରଣତି ପରିଡ଼ା ସ୍ୱାଗତ ଭାଷଣ ଦେଇଥିଲେ। ସେହିପରି ବିଶ୍ୱବିଦ୍ୟାଳୟର ପ୍ରଫେସର ଶିଖା ସିଂ ଓ ଏନଏଚଆରଡି ନେଟୱର୍କ ସଭାନେତ୍ରୀ ବବି ପଟ୍ଟନାୟକ ମଧ୍ୟ ନିଜର ମତ ରଖିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଇନଫୋସିସର ଉପସଭାପତି ରଶ୍ମି ବିଶ୍ୱକର୍ମା, କୋଜେଣ୍ଟସ୍ ଟେକ୍ନୋଲୋଜିସର ସହପ୍ରତିଷ୍ଠାତା ରୋଜାଲିନ ମହାନ୍ତି, ଅରାସିଓରର ସହପ୍ରତିଷ୍ଠାତା ଆକାଂକ୍ଷା ପ୍ରିୟଦର୍ଶିନୀ, ପ୍ରଫେସର ଶ୍ରଦ୍ଧାଞ୍ଜଳି ପାଢ଼ୀ ଯୋଗ ଦେଇଥିଲେ। ଭୁବନେଶ୍ୱର ରିଜିଓନାଲ କଲେଜ ଅଫ୍ ମ୍ୟାନେଜମେଣ୍ଟର ଉପନିର୍ଦ୍ଦେଶିକା ତଥା ଏନଏଚଆରଡିର କାର୍ଯ୍ୟନିର୍ବାହୀ ସଦସ୍ୟା ପ୍ରଫେସର ଶ୍ରଦ୍ଧାଞ୍ଜଳି ପାଢ଼ୀ, ପ୍ରଫେସର ଜ୍ୟୋତିର୍ମୟୀ ଆଚାର୍ଯ୍ୟ, ଡାକ୍ତର ଶିବ ପ୍ରସାଦ ଚକ୍ରବର୍ତ୍ତି, ପ୍ରଫେସର ସସ୍ମିତା ମହାନ୍ତି, ପ୍ରିୟଙ୍କା ସୁଚରିତା ପ୍ରମୁଖ ଯୋଗ ଦେଇଥିଲେ।
’ଏମପାୱରିଂ ଓମେନ, ଫୋଷ୍ଟରିଂ ଅନ୍ତ୍ରପ୍ରିନ୍ୟୁରସିପ୍’ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଅତିଥିମାନେ ଏହାର ଲୋଗୋ ଉନ୍ମୋଚନ କରିଥିଲେ। ଏଥିରେ ନୀଳାମ୍ବର ରଥ, ଭବାନୀ ପ୍ରସାଦ ମହାନ୍ତି ଏବଂ ପଦ୍ମାଳୟା ମାନ୍ଧାତା ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ଡକ୍ଟର ଅମ୍ବିକା ଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ବିଶ୍ୱାଳ, ନରସିଂହ ମାଝୀ, ଆହନା ମାନସାଇଙ୍କ ସମେତ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପିକା ଅଧ୍ୟାପକ, କର୍ମକର୍ତ୍ତା ଏବଂ ଛାତ୍ରୀମାନେ ଯୋଗ ଦେଇଥିଲେ। ଆୟୋଜକ ଅନୁଷ୍ଠାନ ପକ୍ଷରୁ ଶୁଭଶ୍ରୀ ନାୟକ ଏବଂ ସ୍ମୃତିରେଖା ବାରିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୟୁଜିସି ନେଟ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଚାରି ଜଣ ପୂର୍ବତନ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୟୁସିସିଆଇଏଲ୍ ଲେଡିଜ ଫୋରମ ପକ୍ଷରୁ ସେମାନଙ୍କୁ ସ୍ୱତନ୍ତ୍ର ଉପହାର ଦିଆଯାଇଥିଲା। ମାର୍ଚ୍ଚ ୮, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମେଗା ‘ୟୁଥ୍ କନକ୍ଲେଭ’ରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ୮୦୦ରୁ ଅଧିକ ଛାତ୍ରୀଙ୍କ ସମେତ ଅତିଥି, ଯୁବ ଉଦ୍ୟୋଗୀ ଏବଂ କର୍ପୋରେଟ୍ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।