ପୁରୀ: ପୁରୀରେ ସୁନ୍ଦର ବାଲୁକାକଳା ମାଧ୍ୟମରେ ଆନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା । ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗାସନର ଚିତ୍ର ନିର୍ମାଣ କରିଛନ୍ତି । ଏଥିସହ ଯୋଗର ବିଭିନ୍ନ ମୁଦ୍ରାକୁ ଅତି ସୁନ୍ଦର ଭାବେ ବାଲୁକାକଳାରେ ସ୍ଥାନ ଦେଇଛନ୍ତି । ଏହି ବାଲୁକା କଳା ଦ୍ବାରା ପ୍ରତ୍ୟେକ ଦିନ ଯୋଗ କରି ସୁସ୍ଥ ରହିବାର ବାର୍ତ୍ତା ପ୍ରଦାନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।
ପ୍ରତିବର୍ଷ ବିଶ୍ୱ ଯୋଗ ଦିବସ ଜୁନ ୨୧ ତାରିଖରେ ପାଳନ କରାଯାଇଥାଏ । ଯୋଗ କ୍ରିୟା, ଏକ ଶାରିରୀକ ପ୍ରକ୍ରିୟା ଠାରୁ ବହୁତ ଅଧିକ ଅଟେ । ଏହା ଏକ ଜୀବନ ଶୈଳୀ ଅଟେ ଯାହାଦ୍ୱାରା ମାନସିକ ଶାନ୍ତି ସହ, ଭାବନାତ୍ମକ ଦୃଢତା ଓ ନିଜ ସହ ଓ ଆମ ଚର୍ତୁପାର୍ଶ୍ୱ ପରିବେଶ ସହ ଯୋଡି ହୋଇ ରହିବାରେ ସାହାଯ୍ୟ କରିଥାଏ ।
ଚଳିତବର୍ଷର ବିଶ୍ୱ ଯୋଗ ଦିବସ ପାଳନ ଅବସରରେ ଏହାର ବିଷୟବସ୍ତୁ ବା ଥିମ୍ “Yoga for One Earth, One Health” ବା ‘ଯୋଗ ଏକ ପୃଥିବୀ ଏବଂ ଏକ ସ୍ୱାସ୍ଥ୍ୟ ପାଇଁ’ ରଖାଯାଇଛି । ଏହି ବିଷୟବସ୍ତୁ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସୂଚନା ଦେଇଛନ୍ତି । ଏହି ବିଷୟବସ୍ତୁ ବ୍ୟକ୍ତିର ଉତ୍ତମ ସ୍ୱାସ୍ଥ୍ୟ ସହ ସାରା ବିଶ୍ୱର ସ୍ୱାସ୍ଥ୍ୟର ସମ୍ପର୍କକୁ ଦର୍ଶାଇଥାଏ । ଶାନ୍ତିରେ ଜୀବନଯାପନ କରିବା ପାଇଁ ଯୋଗ ଏକ ଶକ୍ତିଶାଳୀ ଅସ୍ତ୍ର ଅଟେ ।
ଆହୁରି ପଢ଼ନ୍ତୁ : ଆଜି ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ: ଏ ବର୍ଷର ଥିମ ‘ଏକ ପୃଥିବୀ ଓ ଏକ ସ୍ବାସ୍ଥ୍ୟ ପାଇଁ ଯୋଗ’