ସମ୍ବଲପୁରରେ ଆଉ ୨ ଦିନ ଇଣ୍ଟରନେଟ୍ ସେବା ବନ୍ଦ; ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ, ସ୍ଥିତି ସୁଧୁରିବା ଯାଏଁ ଜାରି ରହିବ କଟକଣା
ସମ୍ବଲପୁର ଜିଲ୍ଲାରେ ବନ୍ଦ ଥିବା ଇଣ୍ଟରନେଟ୍ ସେବା ଅବଧିକୁ ପୁଣି ବୃଦ୍ଧି କାରାଯାଇଛି। ପୂରା ଜିଲ୍ଲାରେ ଆହୁରି ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରିଛି ପ୍ରଶାସନ। ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରହିବା ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ସମ୍ବଲପୁର (କେନ୍ୟୁଜ): ହନୁମାନ ଜୟନ୍ତୀ ଶୋଭାଯାତ୍ରା ହିଂସାକାଣ୍ଡ ପରେ ସମ୍ବଲପୁରରେ ଲାଗିଛି କର୍ଫ୍ୟୁ । ମିଛ ଖବର ଓ ଗୁଜବକୁ ନେଇ ଆଇନଶୃଙ୍ଖଳା ସ୍ଥିତି ବିଗିଡିବା ଆଶଙ୍କା ଥିବାରୁ ପୂରା ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ଅବଧିକୁ ଆଉ ୪୮ ବୃଦ୍ଧି କରାଯାଇଛି । ସମ୍ବଲପୁର ଜିଲ୍ଲାପାଳଙ୍କ ସୁପାରିଶ ପରେ ଇଣ୍ଟରନେଟ୍ ସେବା ବନ୍ଦ ଅବଧିକୁ ବଢ଼ାଇଛି ରାଜ୍ୟ ଗୃହ ବିଭାଗ ।
ଏନେଇ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଦେବ ରଞ୍ଜନ ସିଂ ନିର୍ଦ୍ଦେଶନାମା ଜାରି କରିଛନ୍ତି । ୧୭ ତାରିଖ ସକାଳ ୧୦ଟା ଯାଏ ସମ୍ବଲପୁର ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ୍ ସେବା । ହ୍ଵାଟ୍ସଆପ୍, ଟୁଇଟର୍, ଫେସବୁକ, ଇନଷ୍ଟାଗ୍ରାମ୍ ବନ୍ଦ । ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ଇଣ୍ଟରନେଟ୍ ଓ ଡାଟା ସର୍ଭିସ ବନ୍ଦ ରହିବ । ବ୍ରଡବ୍ୟାଣ୍ଡ ଡାଏଲ ଅପ୍ ସିଷ୍ଟମ ବନ୍ଦ ରହିଛି ।
୧୩ ତାରିଖରେ ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଥିଲା। ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେଉଥିବାରୁ ପୁଣି ଇଣ୍ଟରନେଟ ସେବା ଅବଧିକୁ ବୃଦ୍ଧି କରାଯାଇଛି।
ଗତ ୧୨ ତାରିଖ ରାତିରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁର ସହରରେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ପୋଲିସ୍ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ଅତିରିକ୍ତ ଏସ୍ପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ ଏହି ଘଟଣାପରଠୁ ସମ୍ବଲପୁରରେ ଉତ୍ତେଜନା ଲାଗିରହିଛି। ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାରେ ଲାଗିଛି। ସହରରେ ବହୁ ପୋଲିସ୍ ଫୋର୍ସ ମୁତୟନ ସତ୍ତ୍ୱେ ଗତ ୨ ଦିନ ହେବ ସହରର ବହୁ ଦୋକାନ ବଜାର ପୋଡ଼ା ଜଳା ଘଟଣା ସାମନାକୁ ଆସିଛି।