ଦିନକରେ ଭିଜିଲାନ୍ସ ହାତରେ ୩ କ୍ଲାସ ୱାନ୍ ଅଫିସର ଧରାପଡ଼ିବା ପରେ ଖୋଳତାଡ଼ ଜାରି

ଭୁବନେଶ୍ବର(କେନ୍ଯୁଜ୍): ଫୁଲ୍ ଆକ୍ସନ୍ ମୁଡରେ ଭିଜିଲାନ୍ସ। ଗୋଟିଏ ଦିନରେ ତିନି କ୍ଲାସ ୱାନ ଅଫିସର ଭିଜିଲାନ୍‌ସ ହାତରେ ଧରାପଡ଼ିଥିବା ବେଳେ ଏବେ ଜୋରଦାର୍ ଖୋଳତାଡ଼ ଜାରି ରହିଛି । ସେମାନଙ୍କ ନିକଟରୁ ମୋଟ୍‌ ୩୯ ଲକ୍ଷ ୧୧ ହଜାର ୪୪୩ ଟଙ୍କା ଜବତ ହୋଇଛି । ଗିରଫ ତିନି ଜଣ ହେଲେ ବାଲେଶ୍ୱର ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା, ରାଉରକେଲା ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର ଓ କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ ।

କଟକ ଜିଲ୍ଲା ଟାଙ୍ଗି ଚେକ୍‌ ଗେଟ୍‌ ନିକଟରୁ ୮୯ ହଜାର ଟଙ୍କା ସହ ନରୋତ୍ତମ ବେହେରାଙ୍କୁ ଧରିଥିଲା ଭିଜିଲାନ୍‌ସ ଟିମ୍‌ । ତାଙ୍କ ଭୁବନେଶ୍ୱର ଘରୁ ୯ ଲକ୍ଷ ୨୫ ହଜାର ଟଙ୍କା ଜବତ ହୋଇଥିଲା । ସେହିପରି ବାଲେଶ୍ୱର କ୍ୱାର୍ଟର୍ସରୁ ୬ ଲକ୍ଷ ୩୫ ହଜାର ୭୨୩ ଟଙ୍କା ଜବତ କରାଯାଇଛି । ନରୋତ୍ତମଙ୍କଠାରୁ ମିଳିିଛି ମୋଟ୍‌ ୧୬ ଲକ୍ଷ ୪୯ ହଜାର ୭୨୩ ଟଙ୍କା ।

ସେହିପରି କେନ୍ଦୁଝରରୁ କଟକ ସ୍ଥିତ ବାସଭବନକୁ ଆସିବା ବେଳେ ଯାଜପୁର ଜିଲ୍ଲା ଏନସି କଲେଜ ରୋଡ୍‌ ନିକଟରେ ଭିଜିଲାନ୍‌ସ ବିଭାଗ ହାବୁଡ଼ରେ ପଡ଼ିଥିଲେ ବୈତରଣୀ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ । ତାଙ୍କ ଗାଡ଼ିରୁ ଜବତ ହୋଇଥିଲା ନଗଦ ୧୦ ଲକ୍ଷ ୭ହଜାର ୬୨୦ ଟଙ୍କା । ବିଧାନଚନ୍ଦ୍ର ସାହୁଙ୍କ ନାଁରେ ୫ଟି ପ୍ଲଟ ରହିଛି ।

ସେଭିତରୁ କଟକ ଦୋଳମୁଣ୍ଡେଇରେ ଗୋଟିଏ ପ୍ଲଟ ରହିଛି । ଯାହାର ଦାମ୍‌ ୩୫ ଲକ୍ଷ ଟଙ୍କା । ଛତ୍ରପୁରରେ ୫ଟି ପ୍ଲଟ ଥିବା ଜଣାଯାଇଛି । ସେହିପରି ରାଉରକେଲାରୁ ଫେରିବା ବେଳେ ଭୁବନେଶ୍ୱରରୁ ୧ଲକ୍ଷ ୭୫ ହଜାର ଟଙ୍କା ସହ ଧରା ପଡି ଗିରଫ ହୋଇଥିଲେ ରାଉରକେଲା ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ ମହାପାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.