ସାପ ଧରାଳିଙ୍କ ମୃତ୍ୟୁ ଘଟଣାରେ ପିସିସିଏଫ୍ ବନ୍ୟପ୍ରାଣୀ ସୁଶାନ୍ତ ନନ୍ଦ ତଦନ୍ତ ନିର୍ଦ୍ଦେଶ

ସୁବର୍ଣ୍ଣପୁର: ସାପ ଖେଳାଇବା ତାଙ୍କ ଉପରେ ଭାରି ପଡ଼ିଲା । ସାପ ଡବା ଭିତରେ ପଶୁ ପଶୁ ହଠାତ୍ ବୁଲିପଡ଼ି ତାଙ୍କ ହାତକୁ ଚୋଟ ମାରିଥିଲା । ସାପ ଚୋଟ ମାରିବା ପରେ ସେ ତୁରନ୍ତ ଡାକ୍ତରଖାନା ଯାଇଥିଲେ ନିଜର ଚିକିତ୍ସା କରାଇବା ପାଇଁ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଘଟିଯାଇଛି ଏଭଳି ଏକ ଅଘଟଣ ।
ମେଣ୍ଡାମାଳ ଗାଁର ସାପ ଧରାଳୀ ଗୌର ଶଙ୍କର କୁମ୍ଭାର ଚମ୍ପମାଳ ଗାଁରୁ ଜଣକ ଘରେ ସାପଥିବା ଖବର ପାଇ ଚମ୍ପାମାଳ ଗାଁକୁ ଯାଇଥିଲେ । ସେଠାରୁ ସାପଟିକୁ ଧରିଲା ପରେ ଫେରିବା ବାଟରେ ବୀରମାହାରଜପୁର ଥାନାରେ କାମ ଥିବାରୁ ଥାନାକୁ ଯାଇଥିଲେ । ତେବେ ଥାନା କାମ ସରିବା ପରେ ସେ ସେଠାରେ ଉପସ୍ଥିତ କିଛି ପୋଲିସ କର୍ମଚାରୀ ଓ ଅନ୍ୟ ଲୋକଙ୍କୁ ସାପ ଦେଖାଇବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏଣୁ ସାପକୁ ଭର୍ତି କରିଥିବା ଏକ ପ୍ଲାଷ୍ଟିକ ଜାରରୁ ବାହରକୁ ଆଣି କିଛି ସମୟ ଖେଳାଇବା ପରେ ପୁଣି ଜାରରେ ଭର୍ତି କରୁଥିଲେ । ତେବେ ସେହି ସମୟରେ ଅସାବଧାନତା ବସତଃ ସାପଟି ଗୌର ଜଗଦଲାଙ୍କ ହାତକୁ କାମୁଡି ଦେଇଥିଲା । ଗୁରୁତର ଗୌରଙ୍କୁ ଗାଡିରେ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଚିକିସାଧିନ ଅବସ୍ଥାରେ ଗୌର ଜଗଦଲାଙ୍କ ସେଠାରେ ମୃତ୍ୟୁ ଘଟିଥିଲା ।
ଗୌର ଆଜିକୁ୧୫ ବର୍ଷରୁ ଅଧିକ ସମୟ ହେଲା ଲୋକଙ୍କ ପାଖରୁ ଖବର ପାଇ ଯାଉଥିଲେ ଏବଂ ବିଷଧର ସାପକୁ ଉଦ୍ଧାର କରି ଜଙ୍ଗଲର ଛାଡି ଦେଉଥିଲେ । ହେଲେ ଟିକିଏ ଅସାବଧାନତା ବସତଃ ସାପ କାମୁଡାରେ ତାଙ୍କର ପ୍ରାଣହାନୀ ଘଟିଗଲା । ଗୌର ସାପ ଧରିବାକୁ କୌଣସି ତାଲିମ ପାଇନଥିବା ବେଳେ ତାଙ୍କର ପଞ୍ଜିକରଣ ଏପର୍ଯ୍ୟନ୍ତ ହୋଇନଥିଲା । ଅନ୍ୟପକ୍ଷରେ ଥାନା ପରିସରରେ ପୁଲିସମାନଙ୍କ ଆଗରେ ସାପ ଖେଳ ଦେଖାଇବାକୁ କିଏ ଦେଇଥିଲା ଅନୁମତି, ତାକୁ ନେଇ ପ୍ରଶ୍ନ ଉଠିଥିବା ଥାନା ଅଧିକାରୀଙ୍କ ପକ୍ଷରୁ ସ୍ପଷ୍ଟିକରଣ ରଖାଯାଇଛି ଯେ, ସାପ ଧରାଳୀଙ୍କୁ କେହି କହିନଥିଲେ ଥାନା ପରିସରରେ ସାପ ଖେଳ ଦେଖାଇବା ପାଇଁ । ସାପ ଧରାଳୀ ନିଜ ପକ୍ଷରୁ ଦେଖାଇଥିଲେ ସାପ ଖେଳ ।
ଏନେଇ ସାପଧରାଳିଙ୍କ ମୃତ୍ୟୁ ଘଟଣାରେ ପିସିସିଏଫ୍ ବନ୍ୟପ୍ରାଣୀ ସୁଶାନ୍ତ ନନ୍ଦ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସାପ ଧରି ଜଂଗଲରେ ନଛାଡି ଥାନା ପରିସରକୁ କାହିଁକି ଆସିଥିଲେ ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି । ଏନେଇ ଶ୍ରୀ ନନ୍ଦ ସୋନପୁର ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।