ଦୁବାଇରେ ଓଡ଼ିଶା ସରକାରଙ୍କ ଇନ୍ ଭେଷ୍ଟର୍ସ ମିଟ୍, ନିବେଶକଙ୍କୁ ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଅବଗତ କଲେ ମୁଖ୍ୟମନ୍ତ୍ରୀ

(କେନ୍ୟୁଜ): ଦୁବାଇରେ ଓଡ଼ିଶା ନିବେଶକ ସମ୍ମିଳନୀ ଆରମ୍ଭ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପୁଞ୍ଜି ନିବେଶକାରୀଙ୍କ ପାଇଁ ଥିବା ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଶିଳ୍ପପତିଙ୍କୁ ଅବଗତ କରାଉଛନ୍ତି । ବିଶେଷକରି ରାଜ୍ୟର ୬ଟି ଅଗ୍ରାଧିକାର କ୍ଷେତ୍ରରେ ପୁଞ୍ଜିନିବେଶ କରିବା ଲାଗି ସେ ନିବେଶକଙ୍କୁ ଆମନ୍ତ୍ରଣ କରିଛନ୍ତି । କୃଷିି ଓ ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଓ ପେଟ୍ରୋକେମିକାଲ୍ସ, ବୟନ, ଡାଉନଷ୍ଟ୍ରିମ ଆଣ୍ଡ ଆନ୍ସିଲାରି, ଇଏସଡିଏମ-ଆଇଟି ଓ ଆଇଟିଇଏସ, ଅଟୋ ଓ ଅଟୋ ଯନ୍ତ୍ରାଂଶ ।

ଏହା ବ୍ୟତୀତ ରାଜ୍ୟର ପ୍ରମୁଖ କ୍ଷେତ୍ର ଖଣି, ଖଣିଜ, ଧାତବ ଓ ମାନୁଫାକ୍ଟରିଂ କ୍ଷେତ୍ର ଲାଗି ପୁଞ୍ଜିନିବେଶ ଆଣିବାକୁ ମଧ୍ୟ ଏହି ସମ୍ମିଳନୀରେ ଉଦ୍ୟମ ହୋଇଛି। ନିବେଶକ ସମ୍ମିଳନୀରେ ବେଦାନ୍ତ, ଆର୍ସେଲର ମିତ୍ତଲ ନିପନ ଷ୍ଟିଲ, ରୁଚି ମସଲା, ଡିଏନ ଗ୍ରୁପ, ଟାଲା ଷ୍ଟିଲ ଏସଇଜେଡ, ପାରାଦୀପ ଫସପେଟ ଲିମିଟେଡ ଓ ଇଣ୍ଡିଆନ ଅଏଲ ଉଚ୍ଚ ଅଧିକାରୀ ଯୋଗ ଦେଇଛନ୍ତି । ରୁଚି ଗ୍ରୁପର ମୁଖ୍ୟ ଶରତ ସାହୁ, ଡିଏନ ଗ୍ରୁପର ମୁଖ୍ୟ ଜଗଦୀଶ ନାୟକ, ଜେଏସଡବ୍ଲ୍ୟୁ ସିମେଣ୍ଟର ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ, ଆଦାନୀ ପୋର୍ଟସ ଆଣ୍ଡ ଏସଇଜେଡର ସିଇଓ କରନ ଆଦାନି, ବେଦାନ୍ତ ଆଲୁମିନିୟମର ସିଇଓ ରାହୁଲ ଶର୍ମା ଓ ଟାଟା ଷ୍ଟିଲର ଉପସଭାପତି ରାଣକ୍ୟ ଚୌଧୁରୀ ପ୍ରମୁଖ ଯୋଗ ଦେଇଛନ୍ତି ।

ଦୁବାଇର ଦି ଓବରଏ ବିଜନେସ ବେରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ଓ ଇପିକଲର ବରିଷ୍ଠ ଅଧିକାରୀ ସାମିଲ ଅଛନ୍ତି । ନିବେଶକ ସମ୍ମିଳନୀରେ କାଳାହାଣ୍ଡିର ପ୍ରସିଦ୍ଧ ଘୁମୁରା ଓ ବଜାଶାଲ ପରିବେଷିତ ହେବ । ସେହିପରି ଆଜି ସଂଧ୍ୟାରେ ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.