ଜାନୁଆରୀ ୧୩ରୁ ପ୍ରୟାଗରାଜରେ ମହାକୁମ୍ଭ ମେଳା, ମୋହନ ମାଝୀଙ୍କୁ ନିମନ୍ତ୍ରଣ କଲେ ଯୋଗୀ ଆଦିତ୍ୟନାଥ
କୁମ୍ଭ ମେଳା, ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ପ୍ରତି ୧୨ ବର୍ଷରେ ଥରେ ହୁଏ ଏହି କୁମ୍ଭ ମେଳା । ତେବେ ପ୍ରୟାଗରାଜ ମହାକୁମ୍ଭ ମେଳା ପାଇଁ ଖୁବ ଜୋର ସୋରରେ ପ୍ରସ୍ତୁତି ଚାଲିଛି । ଏହି ମହାକୁମ୍ଭ ମେଳା ପାଇଁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିମନ୍ତ୍ରଣ କରାଯାଇଥିବା ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ମୋହନ ମାଝୀଙ୍କୁ ନିମନ୍ତ୍ରଣ ରହିଛି । ଉତ୍ତରପ୍ରଦେଶର ୨ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ଏହି ନମନ୍ତ୍ରଣ ପତ୍ର ଦେଇଛନ୍ତି । ଜାନୁଆରୀ ୧୩ରୁ ଫେବୃଆରୀ ୨୬ ଯାଏଁ ଚାଲିବ ଏହି ମହାକୁମ୍ଭ ମେଳା ।
ଶେଷଥର ୨୦୧୩ ମସିହାରେ ଏହି ମହାକୁମ୍ଭ ମେଳା ଅନୁଷ୍ଠିତ ହେଇଥିବା ବେଳେ ଆସନ୍ତା ଜାନୁୟାରୀ ୧୩ ତାରିଖରେ ପ୍ରୟାଗରାଜଠାରେ ଅନୁଷ୍ଠିତ ହେବ ଏହି ମହାକୁମ୍ଭ ମେଳା । ଧାର୍ମିକ ବିଶ୍ୱାସ ଅନୁଯାୟୀ, ମହାକୁମ୍ଭ ମେଳା ସମୟରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ । ପ୍ରତ୍ୟେକ ଥର କୁମ୍ଭ ମେଳା କେବଳ ଚାରୋଟି ପବିତ୍ର ନଦୀ ଏବଂ ଭାରତର ଚାରି ତୀର୍ଥସ୍ଥାନରେ ଆୟୋଜିତ ହୋଇଥାଏ । ପୌରାଣିକ ମତେ ଅମୃତ କଳସ ପାଇଁ ଦେବାସୁରଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ଉକ୍ତ କଳସରୁ ଚାରିଟୋପା ଅମୃତ ଚାରୋଟି ସ୍ଥାନ ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୈନ ଓ ନାଶିକରେ ପଡ଼ିଯାଇଥିଲା । ଏବେ ସେହି ଚାରୋଟି ସ୍ଥାନରେ କୁମ୍ଭମେଳା ଅନୁଷ୍ଠିତ ହେଉଛି ।