ନଦୀ ପାଣିରେ ପଶି ଦଳ କାଢି ଅଭିନବ ଆନ୍ଦୋଳନ କଲେ ଗ୍ରାମବାସୀ

ସାଲେପୁର(କେନ୍ୟୁଜ): ବିଭିନ୍ନ ସମୟରେ ସାଧାରଣ ଲୋକ ନିଜ ନିଜର ସମସ୍ୟାକୁ ନେଇ ସରକାରଙ୍କୁ ଘେରିଥାନ୍ତି । ଅନେକ କଥା କଟାକଟି, ଅନେକ ଥର ଅଧିକାରୀଙ୍କ ପାଖକୁ ଦୌଡିବା ପରେ ବି କେହି ଶୁଣିନଥାନ୍ତି । ଏଭଳି ଅନେକ ଖବର ଆମେ ପ୍ରତିଦିନ ଶୁଣିଥାଉ । ତେବେ ଏମିତି ପୁଣି ଏକ ସମସ୍ୟାକୁ ନେଇ ଆଜିର ଏ ଖବର ,କିନ୍ତୁ ଟିକେ ଅଲଗା ।
ଯାହା ଭିଜୁଆଲରେ ଦେଖିବାକୁ ପାଇଲୁ, କିଛି ଲୋକ ଏକ ନଦୀ ଭିତରେ ପଶି ଦଳ ସଫା କରୁଛନ୍ତି । ଏମାନେ କେଉଁ ଶ୍ରମିକ ନୁହଁନ୍ତି ବରଂ ଏମାନେ ସବୁ ଥିଲେ ସେହି ଗାଁର ଗ୍ରାମବାସୀ । କିଶୋରନଗର ଅଞ୍ଚଳ ବାସୀଙ୍କ ପକ୍ଷରୁ ଏଭଳି ଅଭିନବ ଭାବେ କ୍ଷୋଭ ପ୍ରକାଶ କରାଯାଇଛି ।
ସୂଚନା ମୁତାବକ, ଶୁକ ପାଇକା ନଦୀ କାର୍ଯ୍ୟରେ ଅନିୟମିତତାକୁ ନେଇ କିଶୋରନଗର ଅଞ୍ଚଳ ବାସୀ ନଦୀ ପାଣିରେ ପଶି ଦଳ କାଢି ନିଜର କ୍ଷୋଭ ଦେଖାଇଛନ୍ତି । ନ୍ୟାସନାଲ ଗ୍ରୀନ ଟ୍ରିବୁନାଲର ନିର୍ଦ୍ଦେଶ କ୍ରମେ ୫୦କୋଟି ଟଙ୍କା ବ୍ୟୟ ବରାଦରେ ଏହି ଶୁକ ପାଇକା ନଦୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା କାର୍ଯ୍ୟର ତ୍ୱରାନିତ ହୋଇପାରୁନଥିଲା । ଯାହାଫଳରେ ଆଗକୁ ବର୍ଷା ଦିନ ଆସୁଥିବାରୁ ସବୁ ବର୍ଷ ପରି ଚଳିତ ବର୍ଷ ବି ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ । ଏପଟେ ଠିକାଦାରଙ୍କ ଦାୟିତ୍ୱ ହୀନତା ପାଇଁ କାମର ଅଗ୍ରଗତି ହୋଇପାରୁନଥିବାରୁ ଶେଷରେ ଗ୍ରାମବାସୀ ଏଭଳି ନିଷ୍ପତି ନେଇଛନ୍ତି ।
ଏହି ସମସ୍ୟାକୁ ନେଇ ବିଶ୍ଵ ପରିବେଶ ଦିବସ ଅବସରରେ ଶୁକ ପାଇକା ବଞ୍ଚାଅ ଅଭିଯାନ କରିବା ସହିତ ଅଞ୍ଚଳବାସୀ ଶୁକ ପାଇକା ଖନନ କାମରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପ୍ରସଙ୍ଗରେ ସ୍ଵର ଉତୋଳନ କରି ଅଭିନବ ଉପାୟରେ ନଦୀ ପାଣିରେ ପସି ଦଳ କାଢି ସରକାରଙ୍କୁ ଚରମ ଚେତାବନୀ ଦେଇଛନ୍ତି । ଜୁଲାଇ ମାସ ଶେଷ ସୁଦ୍ଧା କାମ ଶେଷ ନକରାଗଲେ ରାଜରାସ୍ତାକୁ ଓହ୍ଲାଇବା ବୋଲି କହିଛନ୍ତି ଏହି ଗ୍ରାମବାସୀ ।