ବର୍ଷ ବର୍ଷ ଧରି ହଡପ ହେଉଛି ମଧୁବାବୁ ପେନସନ ଯୋଜନାରେ ଟଙ୍କା, ୩୦ରୁ ଉର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କା ଉଠାଉଛି କିଏ ?

ରାଜ୍ୟ ସରକାର ସାମାଜିକ ସୁରକ୍ଷା ଯୋଜନାରେ ବୃଦ୍ଧ, ଭିନ୍ନକ୍ଷମ ଓ ବିଧବା ମାନଙ୍କୁ ମାସିକ ମଧୁବାବୁ ପେନ୍ସନ ଯୋଗାଇ ଦେଉଛନ୍ତି କିନ୍ତୁ କେତେକ ପଂଚାୟତରେ ଅନେକ ବୟସ୍କ ଲୋକ ବୟସାଧିକ କାରଣରୁ ମୃତ୍ୟୁ ବରଣ କରିସାରିଥିଲେ ବି ସେମାନଙ୍କ ନାମରେ ଆସୁଥିବା ଟଙ୍କାକୁ ମାସ ମାସ ଧରି ହଡପ କରି ଚାଲିଛନ୍ତି ବିଭାଗୀୟ ଅଧିକାରୀ । ଏଭଳି ଏକ ସଂଗୀନ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା କଲେଇ ପଂଚାୟତରୁ ।

ମିଳିଥିବା ସୂଚନା ଅନୁଯାୟୀ ଏହି ପଂଚାୟତରେ ମୋଟ ୫୭୫ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ ଯୋଜନାରେ ପ୍ରତି ମାସରେ ରାଜ୍ୟ ସରକାର ଟଙ୍କା ଯୋଗାଇ ଦେଇଥାନ୍ତି କିନ୍ତୁ ଏହି ଏକବର୍ଷ ମଧ୍ୟରେ ଏହି ପଂଚାୟତରେ ପ୍ରାୟ ୩୦ରୁ ଅଧିକ ବୃଦ୍ଧ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଛି । ଆଉ ତାପରେ ମଧ୍ୟ ସେମାନଙ୍କୁ ଜୀବିତ ଦର୍ଶାଇ ଟିପ ଚିହ୍ନ ମାରି ତାଙ୍କ ନାମରେ ଟଙ୍କା ଉଠାଯାଉଛି । ରୁକ୍ମଣୀ ଜେନା , ରମ୍ଭା ବନ୍ଧ ଆଦି ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ପରେ ତାଙ୍କ ନାମରେ ଟିପଚିହ୍ନ ମାରି ଟଙ୍କା ଉଠାଯାଉଛି ବୋଲି ତାଙ୍କ ପରିବାର ଲୋକ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଠିକ ସେହିପରି ଏହି ପଞ୍ଚାୟତର ୩୦ରୁ ଉର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ନାମରେ ଆସୁଥିବା ଟଙ୍କାକୁ ବିଭାଗୀୟ ଅଧିକାରୀମାନେ ହଡପ କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭଯୋଗ କରିଛନ୍ତି । ତେବେ RTIରୁ ତଥ୍ୟ ଆସିବା ପରେ ଅସଲ କଥା ପଦାକୁ ଆସିଛି । ବର୍ତ୍ତମାନ ଏହି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ମିଳୁ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.