ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କଲେ ଇସ୍ରୋ ବୈଜ୍ଞାନିକ, ଇସ୍ରୋ ସମ୍ପର୍କରେ ଖାସ କଥା ଶୁଣି ଖୁସି ହେଲେ ପିଲା

ଗାଁ ସ୍କୁଲ ଓ କଲେଜରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କଲେ ବୈଜ୍ଞାନିକ l ଇସ୍ରୋ ସମ୍ପର୍କରେ ପିଲାଙ୍କୁ ବାଣ୍ଟିଲେ ଜ୍ଞାନ ।  ଇସ୍ରୋ ବିଷୟରେ ଜାଣିବା ପାଇଁ ପ୍ରତ୍ୟେକ ପିଲାଙ୍କର ଆଗ୍ରହ ଥାଏ । ଏପରିସ୍ଥଳେ ଇସ୍ରୋ ବୈଜ୍ଞାନିକଙ୍କ ଗାଁକୁ ଆଗମନ ସମସ୍ତଙ୍କ ମନରେ ଉତ୍ସହ ଭାରି ଦେଇଥିଲା । ତେବେ ମହାକାଶ ସପ୍ତାହ ପାଳନ ଅବସରରେ ଇସ୍ରୋ ବୈଜ୍ଞାନିକ ଗାଁ ସ୍କୁଲ ଓ କଲେଜରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ଗାଁରେ ଇସ୍ରୋ ବୈଜ୍ଞାନିକ ପହଁଚିବା ପରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଗ୍ରାମବାସୀ ସମ୍ବର୍ଦ୍ଧନା ଜଣାଇ ତାଙ୍କୁ ସ୍କୁଲକୁ ପାଛୋଟି ନେଇଥିଲେ ।

ସ୍କୁଲରେ ପହଁଚିବା ପରେ ବୈଜ୍ଞାନିକ ଇସ୍ରୋ ସମ୍ପର୍କରେ କିଛି ଖାସ କଥା କହିଥିଲେ ଯେଉଁ କଥାକୁ ପିଲାମାନେ ମନ ଭରି ଶୁଣିଥିଲେ । ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ଖଲିଙ୍ଗି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରେ ପହଞ୍ଚିଥିଲେ ବୈଜ୍ଞାନିକ । ଗତ ମାସରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ସାନ ଖେମୁଣ୍ଡି ବ୍ଲକ ଗୌତମୀ ଗାଁର ବୈଜ୍ଞାନିକ ଡ଼ଃ ଦିଗେନ୍ଦ୍ର ନାଥ ସ୍ୱାଇଁ ଗାଁରେ ପହଞ୍ଚି ଇସ୍ରୋ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସ୍କୁଲ କାର୍ଯ୍ୟକ୍ରମ ସାରି କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରେ ବୈଜ୍ଞାନିକ ପହଞ୍ଚିଥିଲେ । ବିଜ୍ଞାନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରି ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏହା ସହ ପିଲାମାନେ ମଧ୍ୟ ଇସ୍ରୋ ସମ୍ପର୍କରେ ବୈଜ୍ଞାନିକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଅତି ନିକଟରେ ଜଣେ ବୈଜ୍ଞାନିକଙ୍କୁ ପାଇ ଖୁସି ହୋଇଥିଲେ ଛାତ୍ରଛାତ୍ରୀ ।

ନିଜ ଅଞ୍ଚଳର ମହାବିଦ୍ୟାଳୟରେ ପହଁଚି କିଛି ସମୟ ପାଇଁ ଭାବ ବିହ୍ଵଳ ହୋଇ ପଡ଼ିଥିଲେ ବୈଜ୍ଞାନିକ । ବିଶ୍ୱ ମହାକାଶ ସପ୍ତାହ ପାଳିତ ହେଉଥିବା ବେଳେ ପୁରସ୍କାର ପାଇବା ପରେ ନିଜ ଅଞ୍ଚଳରେ ଏହାକୁ ପାଳନ କରିବା ପାଇଁ ବୈଜ୍ଞାନିକ ଦିଗେନ୍ଦ୍ର ନାଥ ଚାହିଁଥିଲେ । ପିଲାଙ୍କ ପ୍ରଶ୍ନ ବୈଜ୍ଞାନିକଙ୍କ ଉତ୍ତର ଏବଂ ବୈଜ୍ଞାନିକଙ୍କ ପ୍ରଶ୍ନ ଛାତ୍ରଛାତ୍ରୀଙ୍କ ଉତ୍ତର ଚିତାକର୍ଷକ ହୋଇ ଉଠିଥିଲା ।