ବୁର୍ଲା ଭୀମସାରରୁ ଶିଶୁପୁତ୍ର ଚୋରି ଘଟଣାକୁ ବିତିଗଲାଣି ୧୫ ଘଣ୍ଟା, ହେଲେ ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି

ସମ୍ବଲପୁର : ବୁର୍ଲା ଭୀମସାରରୁ ଶିଶୁପୁତ୍ର ଚୋରି ଘଟଣାକୁ ୧୫ ଘଣ୍ଟା ବିତିଗଲାଣି । ହେଲେ ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି ।  ଚୋରି ଶିଶୁକୁ ଉଦ୍ଧାର ପାଇଁ ରାତି ତମାମ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ବୁର୍ଲା ସହରର ୪ଟି ରାସ୍ତା ବ୍ଲକ କରିଥିଲା । ୪ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ବୁର୍ଲା ଭୀମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ନବଜାତ ଶିଶୁପୁତ୍ରକୁ ଜଣେ ମହିଳା ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।

ଗତ ଦୁଇ ଦିନ ତଳେ ଛତିଶଗଡ଼ ସରେଇପାଲି ଅଞ୍ଚଳରୁ ଜଣେ ମହିଳା ବୁର୍ଲା ଭୀମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ ।  ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ମହିଳାଙ୍କ ସହ ଶିଶୁ ପୁତ୍ରର ମାଉସୀ ମଧ୍ୟ ଆସିଥିଲେ ।   ତେବେ ସମ୍ବଲପୁର ଅଞ୍ଚଳର ଜଣେ ମହିଳା ଶିଶୁପୁତ୍ରର ମାଉସୀଙ୍କ ସହ କଥା ହୋଇ ସମ୍ପର୍କ ବଢ଼ାଇ ଥିଲେ ।   ଅପରାହ୍ନ ୪ଟାରେ ଛୁଆଟି କାନ୍ଦିବା ବେଳେ ସମ୍ବଲପୁର ଅଞ୍ଚଳର ସଂପୃକ୍ତ ମହିଳା ଜଣକ ଶିଶୁପୁତ୍ରକୁ କୋଳକୁ ନେବା ପରେ ଧୀରେ ଧୀରେ ବାହାରକୁ ଚାଲି ଆସିଥିଲା ।  ଦୀର୍ଘ ସମୟ ଧରି ମହିଳା ଜଣକ ନଫେରିବାରୁ ପରିବାର ଲୋକ ତୁରନ୍ତ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା  ।  ଯାଞ୍ଚ ସମୟରେ ଉକ୍ତ ମହିଳା ଜଣକ ଶିଶୁପୁତ୍ରକୁ ନେଇ ପଳାଉଥିବାର ଦେଖିବାକୁ ମିଳିଥିଲା ।  ସେପଟେ ଏତେ ସୁରକ୍ଷା କର୍ମଚାରୀ ଥାଇ ମଧ୍ୟ କେମିତି ଶିଶୁପୁତ୍ର ଚୋରି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

You might also like