ମରାଠୀ ବାଘୁଣୀ ଜିନତ ଗାଏବ: କାବୁ କରିବା ପାଇଁ ନାକେଦମ ହେଲେଣି ଦୁଇ ରାଜ୍ୟର ବନବିଭାଗ
ଭୁବନେଶ୍ୱର : ମରାଠୀ ବାଘୁଣୀ ଜିନତ ଗାଏବ । ବାଘୁଣୀ ଜିନତକୁ ଓଡ଼ିଶା ଛାଡ଼ିବାକୁ ୨ ସପ୍ତାହ ପୂରିଛି । ଶିମିଳିପାଳରୁ ଭାୟା ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ବାନ୍ଦ୍ୱାନ୍ ଜଙ୍ଗଲରେ ଘୂରି ବୁଲୁଥିଲା ବାଘୁଣୀ । କିନ୍ତୁ ଗତକାଲିଠାରୁ ତା ସଠିକ୍ ଠିକଣା ମିଳିପାରୁ ନାହିଁ । ଏହାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗର ବନ ବିଭାଗ ଟିମ୍ ପାଇଁ ଚିନ୍ତା ବଢ଼ାଇଛି ।
ବାଘୁଣୀ ବେକରେ ଲାଗିଥିବା ରେଡିଓ କଲାର ଘଣ୍ଟାକୁ ଥରେ ଟ୍ରାକିଂ ସିଗନାଲ ଛାଡ଼ିଥାଏ । ତାକୁ ପିଛା କରୁଥିବା ବନ ବିଭାଗ ଟିମ୍ ଏହି ସିଗନାଲରୁ ତାର ସ୍ଥିତି ଜାଣିଥାନ୍ତି । ହେଲେ ସୋମବାର ବିଳମ୍ବିତ ରାତିରେ ରେଡିଓ କଲାରରୁ ଥରଟିଏ ସିଗନାଲ ମିଳିଥିଲା । ଏହାପରଠୁ ବାଘୁଣୀ ବେକରେ ଲାଗିଥିବା ରେଡିଓ କଲାରରୁ କୌଣସି ସୂଚନା ମିଳିପାରୁନାହିଁ । ପୁରୁଲିଆ ରାଇକା ପାହାଡ଼ ଗୁମ୍ପାରେ ଜିନତ ଥିବା ଅନୁମାନ କରାଯାଉଛି । ଜିପିଏସ ଟ୍ରାକିଂ ଚାଲିଛି, ନିରନ୍ତର ମନିଟରିଂ କରାଯାଉଛି । ବାଘୁଣୀ ଜିନତକୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ବନବିଭାଗ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି । ସୁଯୋଗ ପାଇବା ମାତ୍ରେ ଟାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଅଣାଯିବ ।