ବିନା ସୁରକ୍ଷାରେ ସମ୍ପରେ ପଶିବା ପଡ଼ିଲା ମହଙ୍ଗା, କ୍ଷଣିକରେ ଟଳି ପଡ଼ିଲେ ଶ୍ରମିକ
ପାରାଦୀପ: ଗ୍ୟାସ୍ ପାଇପ୍ ଲିକ୍ ହେଲା । ମରାମତି ପାଇଁ ଯାଇଥିଲେ ଶ୍ରମିକ ଜଣକ । କିନ୍ତୁ ସେ ଜାଣି ନଥିଲେ ସେଠାରେ ସେ ଫସିଯିବେ ବୋଲି । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ସେହି କର୍ତ୍ତବ୍ୟ ପଥରେ ହିଁ ଚାଲିଗଲା ଶ୍ରମିକଙ୍କ ଜୀବନ । କଟକ – ପାରାଦୀପ ରାସ୍ତା କଡ଼ରେ ଗ୍ୟାସ ଲିକ୍ ହେଉଥିଲା । ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଗ୍ୟାସ୍ ପାଇପ ଲାଇନ ମରାମତି କରିବା ସମୟରେ ଫସିଯାଇଥିଲେ ଶ୍ରମିକ ଜଣକ । ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଶ୍ରମିକଙ୍କୁ ଉଦ୍ଧାର ମଧ୍ୟ କଲେ କିନ୍ତୁ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।
ତେବେ ପାରାଦୀପରୁ ଜଗତସିଂହପୁର ଯାଇଥିବା ରନ୍ଧନ ଗ୍ୟାସ ପାଇପର ଭାଲବ ଲିକ୍ ବନ୍ଦ କରିବାକୁ ଯାଇ ଏଭଳି ଅଘଟଣ ଘଟିଛି । ମରାମତି କରୁଥିବା ବେଳେ ସମ୍ପରେ ଫସି ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ମୃତ ଶ୍ରମିକ ଜଣକ ହେଲେ ପାରାଦୀପ ବିଜୟଚାନ୍ଦପୁରର ପରିମଳ ଗାଏନ । ଅଗ୍ନିଶମ ବିଭାଗ ଓ କୁଜଙ୍ଗ ପୋଲିସ ପକ୍ଷରୁ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ।
ତେବେ ଏହି ଗ୍ୟାସ୍ ପାଇପ ଲାଇନ ରେ ଲିକ୍ ଯୋଗୁ ଦୁଇଜଣ ଶ୍ରମିକଙ୍କୁ ପାରାଦୀପରୁ ନେଇଥିଲେ ଠିକାଦାର । ସେଠାରେ ସମ୍ପର ସ୍ଲାପ ଉଠାଇବା ପରେ ଜଣେ ଶ୍ରମିକ ତଳକୁ ଯାଇଥିଲେ ଏବଂ ଅନ୍ୟ ଜଣେ ଶ୍ରମିକ ଉପରେ ସହଯୋଗ କରିବା ପାଇଁ ଛିଡା ହୋଇଥିଲେ । ମାତ୍ର ତାଙ୍କୁ କୈାଣସି ସେଫ୍ଟି ସରଞ୍ଜାମ ଦେଇନଥିଲେ ଠିକାଦାର କି ଉକ୍ତ ଶ୍ରମିକ ମାନେ ତାଲିମ ପ୍ରାପ୍ତ ମଧ୍ୟ ନୁହଁନ୍ତି ।
ଶ୍ରମିକ ଜଣଙ୍କ ତଳକୁ ପଶିବା ମାତ୍ରେ ଉତ୍କଟ ଗ୍ୟାସ ପ୍ରଭାବରେ ଟଳି ପଡ଼ିଥିଲେ । ସଙ୍ଗେ ସଙ୍ଗେ କୁଜଙ୍ଗ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏନେଇ ପୋଲିସ ତଦନ୍ତ ଚଳାଇଛି । ଶବ ବ୍ୟବଚ୍ଛେଦ ପରେ ଅନ୍ୟ ତଥ୍ୟ ଜଣା ପଡିବ ବୋଲି କୁଜଙ୍ଗ ଆଇଆଇସି ପ୍ରକାଶ କରିଛନ୍ତି ।