ପୋଖରୀରେ ବୁଡି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ, ଗାଧୋଇବା ପାଇଁ ଯାଇଥିଲେ

ଢେଙ୍କାନାଳ : ସଦର ଥାନା ଅନ୍ତର୍ଗତ ସିଆରିଆ ପୋଖରୀରେ ବୁଡି ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପ୍ରିତିପ୍ରଭୁ ପଟ୍ଟନାୟକ  । ସେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବାଜିରାଉତ ଆଇଟିଆଇ କଲେଜରେ ଦ୍ଵୀତୀୟ ବର୍ଷର ଆଇଟିଆଇ ଛାତ୍ର ଥିଲେ । ପ୍ରିତିପ୍ରଭୁଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବଞ୍ଚୋ ଗାଁରେ ବୋଲି ଜଣାପଡିଛି । ପ୍ରିତିପ୍ରଭୁ ସିଆରିଆ ସ୍ଥିତ ବାଜିରାଉତ କଲେଜ ହଷ୍ଟେଲରେ ରହି ପାଠ ପଢୁଥିଲେ ।

ହଷ୍ଟେଲରେ ଆଜି ଲାଇନ ନଥିବାରୁ ଗାଧୋଇବା ପାଇଁ ପାଣି ସରି ଯାଇଥିଲା । ପରେ ପ୍ରିତିପ୍ରଭୁ ହଷ୍ଟେଲ ନିକଟସ୍ଥ ସିଆରିଆ ପୋଖରୀକୁ ଆଠ ଜଣ ସାଙ୍ଗସାଥୀଙ୍କ ସହ ଗାଧୋଇବାକୁ ଯାଇଥିଲେ । ସେଠାରେ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଖବର ପାଇ ସଦରଥାନା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ଅନ୍ୟ ପଟରେ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ମୃତ ପରିବାର ଲୋକେ ।  କଲେଜ ଅବହେଳା ଯୋଗୁ ପୁଅର ଜୀବନ ଯାଇଛି । ଯେଉଁମାନେ ଦୋଶୀ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବାର ଲୋକେ ।