ଆଜି ଗଭୀର ଅବପାତର ରୂପ ନେବ ଅବପାତ: ଦକ୍ଷିଣ ଓଡ଼ିଶାରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୯ଟି ଜିଲ୍ଲାକୁ ୟେଲୋ

ଭୁବନେଶ୍ବର: ଆଜି ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ ଅବପାତ । ପରେ ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ରହିବ । ଆଜି ରାତିରେ ନର୍ସାପୁର ଓ ବିଶାଖାପାଟଣା ମଝିରେ ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ଏବେ ବିଶାଖାପାଟଣାଠାରୁ ୩୧୦ କିଲୋମିଟର ଦକ୍ଷିଣ ପୂର୍ବରେ ରହିଛି । ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ବର୍ଷା ହେବ ।

ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୯ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ନବରଙ୍ଗପୁର, କନ୍ଧମାଳ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ଅବପାତ ପ୍ରଭାବରେ ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଅନ୍ୟ ସମସ୍ତ ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରିଛି ପାଣିପାଗ କେନ୍ଦ୍ର । ୪୫-୫୫ କିଲୋମିଟର ବେଗରେ ପବନ ବହିପାରେ । ପବନର ବେଗ ବଢି ୬୫ କିଲୋମିଟର ହୋଇପାରେ । ଆସନ୍ତା ୧୩ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.