କମିଲା କାଳବୈଶାଖୀ ପ୍ରଭାବ, ଆଜିଠାରୁ ପୁଣି ମୁଣ୍ଡଫଟା ଖରା

ଭୁବନେଶ୍ୱର : କମିଲା କାଳବୈଶାଖୀ, ବଢିବ ତାତି । ମାର୍ଚ୍ଚ ଅଧାରୁ ଜଳୁଥିଲା ଅଧାରୁ ଅଧିକ ଓଡ଼ିଶା କାଳବୈଶାଖୀ ବର୍ଷା ଫଳରେ ତାତିରୁ ସାମାନ୍ୟ ରିହାତି ପାଇଥିଲେ । ହେଲେ ଏବେ ପୁଣି ସେହି ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ଆଜିଠାରୁ ଆଉ ବିଶେଷ ବର୍ଷା ସମ୍ଭାବନା ନାହିଁ । ଉପରମୁହାଁ ହେବ ପାରଦ। ପୁଣି ୪୦ ଡିଗ୍ରୀ ମୁହାଁ ହେବ ତାତି । ୪ ଦିନ ଭିତରେ ପୁଣି ୪ରୁ ୫ ଡିଗ୍ରୀ ତାପାମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି । ୨୭ ତାରିଖ ବେଳକୁ ୪୦ ପାଖାପାଖି ପହଞ୍ଚିବ ପାରଦ। ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ନାହିଁ।
ସୂଚନାଯୋଗ୍ୟ ପଶ୍ଚିମ ଓଡ଼ିଶାରେ ନିଇତି ରେକର୍ଡ କରୁଥିଲା ପାରଦ । ମାର୍ଚ୍ଚ ଅଧାରୁ ଯେଭଳି ଦାଉ ସାଧିଥିଲା ଗ୍ରୀଷ୍ମ ପ୍ରବାହ । କିଛିଦିନ ତଳେ ବୌଦ୍ଧ ଓ ଝାରସୁଗୁଡ଼ା କ୍ରମାଗତ ପାରଦ ଉପରମୁହାଁ ହେବା ସହିତ ଦେଶବ୍ୟାପି ରେକର୍ଡ ଭାଙ୍ଗିଥିଲା । କେବଳ ଏହି ଦୁଇଟି ସ୍ଥାନ ନୁହେଁ, ପଶ୍ଚିମ ଓଡ଼ିଶାରେ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୫-୭ ଡିଗ୍ରୀ ଉପରେ ରହିଥିଲା । ମାର୍ଚ୍ଚ ୧୪ ତାରିଖରେ ୪୧. ୮ ଡିଗ୍ରୀ ସହ ଝାରସୁଗୁଡ଼ା ଓ ୧୫ ତାରିଖରେ ୪୨.୫ ଡିଗ୍ରୀ ସହ ବୌଦ୍ଧ ସାରା ଦେଶରେ ଉତ୍ତପ୍ତ ସ୍ଥାନ ପାଲଟିଥିଲା । ଏହାରି ଭିତରେ ଗତ ୨୦ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିଥିଲା । ଫଳରେ ପାଗ କୋହଲା ହୋଇଥିଲା । .
ଆହୁରି ପଢ଼ନ୍ତୁ : କାଳବୈଶାଖୀ ପ୍ରଭାବରେ ଆଜି ଅନେକ ସ୍ଥାନରେ ଘଡଘଡି ସହ ବର୍ଷା, ୩୦ ରୁ ୪୦ କିମି ବେଗରେ ପବନ ହୋଇପାରେ