ସମାଜରେ ପରିବର୍ତ୍ତନ ଆଣିବା ପାଇଁ କବିତାକୁ କରିଥିଲେ ମାଧ୍ୟମ, ଯଦୁମଣିଙ୍କୁ ଝୁରୁଛି ଗାଁ ମାଟି

ରାଜା ସିନା ପୂଜା ପାଏ ଆପଣା ଦେଶରେ କବି ପୂଜାପାଏ ଦେଶ ବିଦେଶରେ । ଏଇ କେଇ ପଦର କବିତା ଶୁଣୁ ଶୁଣୁ ଆପଣ ମନେ ପକାଇ ପାରୁଥିବେ ସେହି କିମ୍ବଦନ୍ତୀ ପୁରୁଷଙ୍କୁ । ହୃଦବୋଧ କରି ପାରୁଥିବେ ତାଙ୍କ ମନରେ ଥିବା କବିତା ଆଉ କବିଙ୍କ ପ୍ରତି ଦରଦକୁ । ତାଙ୍କ କାବ୍ୟ, କବିତା ଆଜି ତାଙ୍କୁ କାଳଜୟୀ କରିପାରିଛି ।

ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ । ରାଜା ସିନା ପୂଜା ପାଏ ଆପଣା ଦେଶରେ କବି ପୂଜାପାଏ ଦେଶ ବିଦେଶରେ । ଏଇ କେଇ ପଦର କବିତା ଶୁଣୁ ଶୁଣୁ ଆପଣ ମନେ ପକାଇ ପାରୁଥିବେ ସେହି କିମ୍ବଦନ୍ତୀ ପୁରୁଷଙ୍କୁ । ହୃଦବୋଧ କରି ପାରୁଥିବେ ତାଙ୍କ ମନରେ ଥିବା କବିତା ଆଉ କବିଙ୍କ ପ୍ରତି ଦରଦକୁ । ତାଙ୍କ କାବ୍ୟ, କବିତା ଆଜି ତାଙ୍କୁ କାଳଜୟୀ କରିପାରିଛି । ଝୁରୁଛି ଗାଁ ମାଟି, ମନେପକାଉଛନ୍ତି ପ୍ରଶଂସକ । ସେ ଆଉ କେହି ନୁହନ୍ତି ଉତ୍କଳର ଘଣ୍ଟ ବୋଲାଉଥିବା ରୀତିଯୁଗର ଶେଷ ତଥା ଆଶୁ କବି ଯଦୁମଣି ମହାପାତ୍ର । ଆଜି ଏହି କିମ୍ବଦନ୍ତୀ ପୁରୁଷଙ୍କ ୨୪୪ ତମ ଜନ୍ମଜୟନ୍ତୀ ।

୧୭୮୧ ମସିହା ଜାନୁଆରୀ ୮ ରେ ଗଞ୍ଜାମ ଜିଲ୍ଲା ଆଠଗଡରେ ଜନ୍ମଗ୍ରହଣ କରିଥିଲେ ଉତ୍କଳ ଘଣ୍ଟ । ପିତା ମୁକୁନ୍ଦ ମହାପାତ୍ର ଓ ମାତା ଶୋଭା ଦେଇ । ଯଦୁକୃଷ୍ଣଙ୍କ ବିଗ୍ରହ ପୂଜା କରି ପୁତ୍ର ସନ୍ତାନ ଲାଭ କରିବାରୁ ବାପା-ମାଆ ନାମ ଯଦୁମଣି ରଖିଥିଲେ । ଖଞ୍ଜନା ନାମ୍ନୀ ମହିଳାଙ୍କୁ ବିବାହ କରିଥିଲେ ଯଦୁମଣି । ଜନ୍ମଭୂମି ଗଞ୍ଜାମ ହୋଇଥିଲେ ମଧ୍ୟ ଯଦୁମଣିଙ୍କ କର୍ମଭୂମି ଥିଲା ନୟାଗଡର ଇଟାମାଟି । ସେ ନୟାଗଡର ରାଜା ବିନାୟକ ସିଂହ ମାନଧାତାଙ୍କ ରାଜସଭାରେ କବି ଥିଲେ । ରାଜା ମାନଧାତାଙ୍କ ଅନ୍ତେ ତାଙ୍କ ପୁତ୍ର ବ୍ରଜ ବଲ୍ଲଭ ଯଥୋଚିତ ସମ୍ମାନ ନଦେବାରୁ ଯଦୁମଣି ରଣପୁର ରାଜସଭା ପ୍ରତ୍ୟାବର୍ତ୍ତନ କରିଥିଲେ ।

ସେ ରାଘବ ବିଳାସ ଓ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ନାମକ ଦୁଇଗୋଟି ବୃହତ୍ କାବ୍ୟ, ଅନେକ ଚଉପଦୀ ଓ କ୍ଷୁଦ୍ରଗୀତ ରଚନା କରିଛନ୍ତି । ଯଦୁମଣିଙ୍କ ରଚନା ରୀତିଯୁଗୀୟ ଶୈଳୀରେ ଲିଖିତ ଓ ଅତ୍ୟନ୍ତ ପାଣ୍ଡିତ୍ୟପୂର୍ଣ୍ଣ । ଏହା ଛଡା ଛୋଟ ଗୀତ ଓ ଆଶୁ କବିତ୍ୱ ତାଙ୍କୁ ପୁରପଲ୍ଲୀରେ ପରିଚିତ କରାଇ ପାରିଥିଲା । ସେ ଲେଖା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରୁଥିଲେ । ନିଜ କବିତା ମାଧ୍ୟମରେ ପ୍ରଜାମାନଙ୍କୁ ଶୋଷଣ କରୁଥିବା ରାଜାଙ୍କୁ ତୀବ୍ର ନିନ୍ଦା କରିବା ସହ ସମାଜକୁ ଶିକ୍ଷଣୀୟ ବାର୍ତ୍ତା ଦେଉଥିଲେ । ତାଙ୍କ ଲେଖାରେ ନିର୍ଭିକତା ବାରିହୋଇ ପଡୁଥିଲା ।

ଯଦୁମଣି ନିଜର କୌଳିକ ବୃତ୍ତି ଚିତ୍ର କଳା ଓ କାଷ୍ଠ ମୂର୍ତ୍ତି ପ୍ରସ୍ତୁତି କରି ଗୁଜୁରାଣ ମେଣ୍ଟାଉଥିଲେ । ଏହି କୌଳିକ ବୃତ୍ତିକୁ ଆଜି ବି ତାଙ୍କ ବଂଶଧରମାନେ ବଞ୍ଚାଇ ରଖିଛନ୍ତି । କବିଙ୍କ ସେଇ ତାଳପତ୍ର ପୋଥି, ପ୍ରବନ୍ଧ ଓ କବିଙ୍କର ସେଇ ହାତ ତିଆରି ସୌନ୍ଦର୍ଯ୍ୟପୂର୍ଣ୍ଣ କିଛି ଚିତ୍ର କଳା ଆଦିକୁ ସାଇତି ରଖିଛନ୍ତି ପରିବାର ଲୋକେ । ଅନେକ କୃତି ରକ୍ଷଣାବେକ୍ଷଣା ଅଭାବରୁ ନଷ୍ଟ ହୋଇଯାଇଛି । ତେବେ ତାଙ୍କର ନାତି ଓ ଅଣନାତି ଯଦୁମଣିଙ୍କ ସ୍ମୃତି ରକ୍ଷା ପାଇଁ ଉଦ୍ୟମ କରୁଥିବାର ଦେଖିବାକୁ ମିଳିଛି । ଯଦୁମଣୀଙ୍କ ଷଷ୍ଠପିଢି ରୋହନ ମହାପାତ୍ର ଯଦୁମଣିଙ୍କ ପ୍ରଚାରପ୍ରସାର ପାଇଁ ସଦା ଉଦ୍ୟମ କରୁଥିବାବେଳେ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ପାଖେ ଯଦୁମଣି କିଭଳି ଆହୁରି ପରିଚିତ ହୋଇପାରିବେ ସେନେଇ ଉଦ୍ୟମ ଜାରି ରଖିଛନ୍ତି ।

ତେବେ ଯଦୁମଣିଙ୍କର ସ୍ମୃତି ଓ କୃତିକୁ ବଞ୍ଚାଇ ରଖିବା ପାଇଁ ସରକାରୀସ୍ତରରେ କିଛି ବି ପଦକ୍ଷେପ ନିଆଯାଇ ନାହିଁ । ତେବେ କବିଙ୍କର ସ୍ମୃତି ଓ କୃତିକୁ ରକ୍ଷା ପାଇଁ ପ୍ରତିମୂର୍ତ୍ତି ସ୍ଥାପନ ଓ କାବ୍ୟ କବିତାକୁ ପାଠ୍ୟକ୍ରମରେ ସାମିଲ କଲେ ଛାତ୍ରଛାତ୍ରୀଙ୍କ ଗହଣରେ ଯଦୁମଣିଙ୍କ ଲେଖା ବେଶ୍ ଆଦୃତ ପାଇପାରନ୍ତା ବୋଲି ବରିଷ୍ଠ ବ୍ୟକ୍ତି କହିଛନ୍ତି । ତେବେ ଆଜି ସିନା ଏହି ରୀତି ଯୁଗୀୟ ଶ୍ରେଷ୍ଠ କବିଙ୍କ ଉପସ୍ଥିତି ଖାଲି ପଡିଛି । ହେଲେ ତାଙ୍କ କାଳଜୟୀ କାବ୍ୟ ତାଙ୍କୁ ବାର ବାର ମନେ ପକାଉଛି । ତାଙ୍କ କାବ୍ୟ ଓ କବିତାକୁ ବର୍ତ୍ତମାନର ଯୁବପିଢିଙ୍କ ଗହଣରେ ଆଲୋଚିତ କରାଇପାରିଲେ ଯଦୁମଣିଙ୍କ ପ୍ରତି ବଡ ସମ୍ମାନ ହେବ ।

Leave A Reply

Your email address will not be published.