ଭୁବନେଶ୍ୱର ଭୀମଟାଙ୍ଗି ହତ୍ୟା ମାମଲା, ପ୍ରିୟଙ୍କାକୁ ହତ୍ୟା କରିଛି ଜଗନ୍ନାଥ: ଡିସିପି

ଭୁବନେଶ୍ୱର(କେନ୍ଯୁଜ): ଭୁବନେଶ୍ୱର ଭୀମଟାଙ୍ଗୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନର ବୟାନ । ଜେରା ବେଳେ ପୋଲିସକୁ ଚାଞ୍ଚଲ୍ୟକର ବୟାନ ଦେଇଛି ଅଭିଯୁକ୍ତ । ପ୍ରିୟଙ୍କାଙ୍କୁ ହତ୍ୟା କରିଥିବା ସେ ସ୍ୱୀକାର କରିଛି । ଘଟଣାଦିନ ୯ଟାରେ ପ୍ରିୟଙ୍କାଙ୍କ ଘରକୁ ଯାଇଥିଲା । ତାଙ୍କୁ ସାଙ୍ଗରେ ନେବାକୁ ବାଧ୍ୟ କରିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ହତ୍ୟାକାଣ୍ଡ ଯୋଜନାବଦ୍ଧ ଥିଲା । ଏନେଇ ପୋଲିସ ହାତରେ ଯଥେଷ୍ଟ ପ୍ରମାଣ ମିଳିଛି ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଆଜି ଅଭିଯୁକ୍ତ ଜଗନ୍ନାଥକୁ ଭୁବନେଶ୍ୱର ଏମ୍‌ସରୁ ଡିସଚାର୍ଜ ପରେ ତାକୁ ଏୟାରଫିଲ୍‌ଡ ଥାନାରେ ଜେରା କରିଛି ପୋଲିସ । ହତ୍ୟାକାଣ୍ଡ ସଂପର୍କରେ ଜଗନ୍ନାଥକୁ ଅଧିକ ପଚରାଉଚରା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଘଟଣାର ୪ ଦିନ ପୂର୍ବରୁ ସୁଇସାଇଡ ନୋଟ ଲେଖିଥିଲା । ଘଟଣାଦିନ ସେ ଭୀମଟାଙ୍ଗିରେ ପ୍ରିୟଙ୍କା ରହୁଥିବା ଭଡ଼ାଘରକୁ ଆସିବା ସମୟରେ ତାଙ୍କ ଛୋଟ ପୁଅ ଘରେ ଥିଲା । ଘର ମାଲିକ ସେହି ସମୟରେ ଆସି ଦହିବରା ଦେଇଥିଲେ । ସେତେବେଳେ ଜଗନ୍ନାଥ ବାଥରୁମରେ ଲୁଚି ଯାଇଥିଲା । ଘର ମାଲିକ ପୁଅକୁ ଆସି ନେଇଯାଇଥିଲେ । ଫଳରେ ସେ ବଞ୍ଚିଯାଇଥିଲା । ଏଭିତରେ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ବ୍ୟବଛେଦ ରିପୋର୍ଟ ପୋଲିସ ହାତରେ ଲାଗିଛି । ପ୍ରିୟଙ୍କାଙ୍କ ଶରୀରରେ ଏକାଧିକ ଆଘାତ ଥିବା ରିପୋର୍ଟରୁ ଜଣାପଡିଥିଲା। ଗତ ୫ ତାରିଖରେ ପ୍ରିୟଙ୍କାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଜଗନ୍ନାଥ। ଏହାପରେ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଘଟଣା ପରଠାରୁ ଚିକିତ୍ସା ପାଇଁ ଜଗନ୍ନାଥକୁ ପ୍ରଥମେ କ୍ୟାପିଟାଲ ହସ୍‌ପିଟାଲ ପରେ ଏକ ଶିର କଟିଥିବାରୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.