ଆଜି ଦେବସ୍ନାନ ପୂର୍ଣ୍ଣିମା; ୧୦୮ ଗରା ଜଳରେ ସମାପନ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଲୀଳା

ଭୁବନେଶ୍ୱର (କେନ୍ୟୁଜ): ଆଜି ହେଉଛି ଶ୍ରୀଜିଉଙ୍କ ସ୍ନାନଯାତ୍ରା । ରତ୍ନ ସିଂହାସନରେ ଦର୍ଶନ ଦେଉଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି ଅଗଣିତ ଭକ୍ତଙ୍କୁ ସ୍ନାନବେଦିରୁ ଦର୍ଶନ ଦେବେ । ଦୁଇବର୍ଷ ପରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ । ସ୍ନାନପୂର୍ଣ୍ଣିମାରେ ପୁରୀ ବଡ଼ଦାଣ୍ଡରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଉଛୁଳି ପଡିବ । ଆଜି ପାରମ୍ପରିକ ଭାବେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ବିଜେ ହେବା ପରେ ରତ୍ନବେଦୀରେ ବସିବେ ଶ୍ରୀଜୀଉମାନେ ।

ମଦନମୋହନଙ୍କୁ ସ୍ନାନମଣ୍ଡପରେ ବିଜେ କଲା ପରେ ଆରମ୍ଭ ହେବ ବିଧିମୁତାବକ ମହାପ୍ରଭୁଙ୍କ ସ୍ନାନକାର୍ଯ୍ୟ । ଆଜିର ଏହି ପବିତ୍ର ତିଥିକୁ ଶ୍ରୀଜୀଉମାନଙ୍କର ଜନ୍ମତିଥିଭାବେ ପାଳିତ ହୋଇଥାଏ । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ସେବାୟତଙ୍କ ଦ୍ୱାରା ମଙ୍ଗଳ ଆରତି, ମଇଲମ ଲାଗି, ତଡ଼ପ ଲାଗି, ଅଧରପୋଛା, ଅବକାଶ ନୀତି, ରୋଷହୋମ, ସୂର୍ଯ୍ୟ ପୂଜା ସହିତ ଦ୍ୱାରପାଳ ପୂଜା ସମାପନ ପରେ ଶ୍ରୀଜୀଉମାନଙ୍କର ସ୍ନାନକାର୍ଯ୍ୟ ସମ୍ପନ୍ନ ହେବ ।

ଶ୍ରୀମନ୍ଦିରସ୍ଥ ଉତ୍ତରଦ୍ୱାରରେ ରହିଥିବା ଶୀତଳା ମନ୍ଦିର ପରିସରର ସୁନାକୂଅରୁ ୧୦୮ ଗରା ପାଣିରେ ସ୍ନାନ କରିବାର ରୀତି ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ୩୫ ଗରା ଜଳରେ ସ୍ନାନ କରୁଥିବା ବେଳେ, ବଡ଼ଠାକୁର ଶ୍ରୀବଳଭଦ୍ର ୩୩ ଗରା ଜଳ ଏବଂ ଦେବୀ ସୁଭଦ୍ରା ମାଆ ୨୨ ଗରା ଜଳରେ ସ୍ନାନ କରିବା ବିଧି ରହିଛି । ସେହିପରି ଚକ୍ରରାଜ ସୁଦର୍ଶନ ଦେବଙ୍କୁ ୧୮ ଗରା ଜଳରେ ସ୍ନାନ କରାଇବାର ବିଧି ରହିଛି ।

ଏହାପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି। ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଏବଂ ପଟିମୂର୍ତି ସ୍ଥାପନା କରାଯାଏ। ଏହାପରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦିର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି। ଏହାକୁ ଅଣସର କୁହାଯାଏ। ଏହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.