ଜଗନ୍ନାଥମୟ ସାରା ଜଗତ: ଆମେରିକା ରୋଜେନ୍‌ବର୍ଗରେ ଗଡ଼ିଲା ଜଗତର ନାଥଙ୍କ ରଥ

ଭୁବନେଶ୍ୱର : ଜଗନ୍ନାଥମୟ ସାରା ଜଗତ । ଆମେରିକାର ଟେକ୍ସାସ ଅନ୍ତର୍ଗତ ରୋଜେନବର୍ଗରେ ବି ଭକ୍ତ ଟାଣିଲେ ପ୍ରଭୁଙ୍କ ରଥ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉତ୍ସାହର ସହ ଶ୍ରୀଗୁଣ୍ଡିଚା ଯାତ୍ରା ପାଳିତ ହୋଇଛି । ସ୍ଥାନୀୟ ପ୍ରବାସୀ ଓଡ଼ିଆଙ୍କ ଦ୍ବାରା ଏହାର ଆୟୋଜନ କରାଯାଇଥିଲା । ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଆଦି ପରେ ରଥ ପ୍ରତିଷ୍ଠା କରାଯାଇଥିଲା । ଏହାପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରି ରଥକୁ ନିଆ ଯାଇଥିଲା । ଶିଶିର ଦାସମହାପାତ୍ର ରଥରେ ଛେରାପହଁରା କରିବା ପରେ ରଥଟଣା କାର୍ଯ୍ୟ ହୋଇଥିଲା । ଉତ୍ସବରେ ପ୍ରବାସୀ ଓଡ଼ିଆମାନଙ୍କ ସହ ବିଭିନ୍ନ ଜାତି ଧର୍ମର ଜଗନ୍ନାଥ ପ୍ରେମୀ ଭାଗ ନେଇଥିଲେ । ମହାପ୍ରଭୁଙ୍କ ପାଇଁ ଛପନଭୋଗର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଭଜନ, ସଂକୀର୍ତ୍ତନ ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ସ୍ଥାନୀୟ ଓଡ଼ିଆ ସଂଗଠନ ରଥଯାତ୍ରାର ଆୟୋଜନ କରିଥିଲେ ।

ସେହିପରି ଅଷ୍ଟ୍ରେଲିଆ ପ୍ରମୁଖ ସହର ମେଲବୋର୍ଣ୍ଣରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଗଡିଛି । ଏଠାକାର ପ୍ରବାସୀ ଓଡ଼ିଆମାନଙ୍କୁ ଦ୍ୱାରା ଗଠିତ ଜଗନ୍ନାଥ ସଂସ୍କୃତି ଓ ଭକ୍ତ ଆସୋସିଏସନ୍‌ ପକ୍ଷରୁ ହାଲାମ ରିକ୍ରିଏସନ୍‌ ରିଜର୍ଭ ଠାରେ ପ୍ରଥମ ଥର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରାୟ ୪୦୦ ଜଗନ୍ନାଥ ଭକ୍ତ ଉତ୍ସବରେ ଯୋଗ ଦେଇ ରଥ ଟାଣିଥିଲେ । ଭକ୍ତମାନେ ୧୩ ଫୁଟ ଉଚ୍ଚର ଏକ ରଥ ନିର୍ମାଣ କରିବା ସହ ଏଥିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବସାଇ ରଥ ପରିକ୍ରମା କରିଥିଲେ । ଏହି ଅବସରରେ ଭଜନ କୀର୍ତ୍ତନ ପରିବେଷଣ କରାଯାଇଥିଲା । ଭକ୍ତିମୟ ପରିବେଶ ମଧ୍ୟରେ କୁନି କୁନି ପିଲାମାନେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ ।

You might also like