ଜ୍ୱରରେ ପୀଡ଼ିତ ହୋଇଛନ୍ତି ମହାପ୍ରଭୁ: ଅଣସର ଘରେ ଶ୍ରୀଜିଉ

ପୁରୀ: ଅଣସର ଘରେ ଶ୍ରୀଜିଉ। ୧୦୮ ଗରା ସୁବାସିତ ଜଳରେ ଅତ୍ୟଧିକ ସ୍ନାନ କରିବା ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜ୍ୱରରେ ପୀଡ଼ିତ ହୋଇଛନ୍ତି ମହାପ୍ରଭୁ। ଏଥିପାଇଁ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି। ଉପଶମ ପାଇଁ ଅଣସର ଘରେ ମହାପ୍ରଭୁଙ୍କର ଗୁପ୍ତ ଉପଚାର ଚାଲିବ। ଶ୍ରୀମନ୍ଦିର ବୈଦ୍ୟ ସେବକଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ପାଚକ ଆଦି ଲାଗି କରାଯିବ। ଓଷ ଲାଗି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ନବ ଯୌବନ ପ୍ରାପ୍ତି ହେବ। ଏହି ସମୟରେ ଶ୍ରୀଜିଉଙ୍କ ଗୁପ୍ତ ସେବା କରିବେ ଦଇତା ସେବାୟତ। ଅଣସର ବିଜେ ବେଳେ ମହାପ୍ରଭୁଙ୍କୁ ଅଣସର ପଣା, ଘଣା ଲାଗି, ଖଳି ଲାଗି ନୀତି ସମ୍ପାଦିତ ହେବ। ଜୁଲାଇ ୧୩ରେ ନବଯୌବନ ଦର୍ଶନ ଓ ୧୪ରେ ରଥଯାତ୍ରା ଅନୁଷ୍ଠିତ ହେବ। ଶ୍ରୀଜିଉ ଅଣସର ବିଜେ କରିଥିବାରୁ ଆଜିଠାରୁ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ। ଗତକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ପାଳିତ ହୋଇଥିଲା ଦେବସ୍ନାନ ପୂର୍ଣ୍ଣିମା। ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀଙ୍କୁ ଓହ୍ଲାଇ ଆସିଥିଲେ ଚତୁର୍ଦ୍ଧାମୂର୍ତ୍ତି। ସ୍ନାନ ପରେ ମହାପ୍ରଭୁଙ୍କୁ ଗଜାନନ ବେଶରେ ଭକ୍ତ ଦର୍ଶନ କରିଥିଲେ। ଏଥିପାଇଁ ପୁରୀରେ ସମବେତ ହୋଇଥିଲେ ଲକ୍ଷଲକ୍ଷ ଭକ୍ତ।
ସେହିପରି ବ୍ରହ୍ମଗିରି ସ୍ଥିତ ଶ୍ରୀଅଲାରନାଥ ପୀଠରେ ଭକ୍ତଙ୍କ ଭିଡ଼ ଜମିଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଲାଗି ଅଲାରନାଥ ପୀଠରେ ଭକ୍ତଙ୍କ ଭିଡ଼ ରହିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଥମ ଥର ୯ଟି ସିସିଟିଭି ଲାଗିଛି। ସେହିପରି ପ୍ରସାଦ ସେବନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।