ରତ୍ନ ଭଣ୍ଡାର ଖୋଲିବାକୁ ଅପେକ୍ଷା: ସୁରକ୍ଷା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ, ଭକ୍ତଙ୍କ ଦର୍ଶନ ବନ୍ଦ

ପୁରୀ : ସମସ୍ତଙ୍କ ମୁଁହରେ ଥିଲା କେବେ ଖୋଲିବ ରତ୍ନ ଭଣ୍ଡାର ? ଏହି ପ୍ରଶ୍ନରେ ଆଜି ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ଏହା ପୂର୍ବରୁ ସରିଛି ରତ୍ନ ଭଣ୍ଡାର ଯାଞ୍ଚ କମିଟି ବୈଠକ । ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇସାରିଛି । ଏବେ ଖାଲି ଖୋଲିବାକୁ ଅପେକ୍ଷା । ତେବେ ଏନେଇ ସୁରକ୍ଷା ବଳୟରେ ରହିଛି ଶ୍ରୀମନ୍ଦିର ।

ରତ୍ନଭଣ୍ଡାର ଖୋଲିବାର ଶୁଭ ମୂହୁର୍ତ୍ତ ୧ଟା ୨୮ ମିନିଟ୍ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି । ଯେଉଁ ଭକ୍ତ ଭିତରେ ଅଛନ୍ତି ସେମାନଙ୍କୁ ଭିତରୁ ବାହାର କରାଯାଉଛି । ମନ୍ଦିର ଭିତରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇ ରହିଛନ୍ତି । ପୁରୀରେ ମୋଟ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇ ରହିଛନ୍ତି ।

ମିଳିଥିବା ସୂଚନା ମୁତାବକ, ତଡଉକରଣ, ଦେଉଳକରଣ, ଭଣ୍ଡାରମେକାପ, ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ ରତ୍ନଭଣ୍ଡାର ଭିତରକୁ ଯିବେ । ଏଥିସହ ଉଚ୍ଚସ୍ତରୀୟ କମିଟିରୁ ୨ ଜଣ ଜଷ୍ଟିସ୍ ବିଶ୍ୱନାଥ କର, ଡାକ୍ତର ସିବିକେ ମହାନ୍ତି ରତ୍ନଭଣ୍ଡାର ଭିତରକୁ ଯିବେ । ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ରତ୍ନଭଣ୍ଡାର ଖୋଲିବାବେଳେ ସାମୟିକ କଟକଣା ରହିବ, ସିଂହଦ୍ଵାର ଛାଡି ବାକି ଦ୍ଵାର ବନ୍ଦ ରହିବ । ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ ଛଡାଯିବ । କମିଟିର ସଦସ୍ୟ ଯିବାବେଳେ ବି ଯାଞ୍ଚ କରାଯିବ । ବେହରଣ ଦ୍ଵାର ନିକଟରେ ସେମାନଙ୍କୁ ଯାଞ୍ଚ କରାଯିବ। ସେହିପରି ଭିତର ରତ୍ନଭଣ୍ଡାରରେ ଆଲୋକ ବ୍ୟବସ୍ଥା କରାଯିବ ।