ଶ୍ରୀମନ୍ଦିରରେ ରୁକ୍ମିଣୀହରଣ ଏକାଦଶୀ, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ (କେନ୍ୟୁଜ); ଆଜି ରୁକ୍ମଣୀ ହରଣ ଏକାଦଶୀ । ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ। ଶ୍ରୀ ମନ୍ଦିର ସିଂହ ଦ୍ୱାର ସମେତ ଅନ୍ୟ ତିନି ଦ୍ୱାରରେ ବାଜୁଛି ତେଲିଙ୍ଗି ବାଜା । ସମ୍ପୂର୍ଣ୍ଣ ଶ୍ରୀ କ୍ଷେତ୍ର ଉତ୍ସବମୁଖର ହୋଇପଡିଛି । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହୁଏ । ଯାହାକୁ ରୁକ୍ମିଣୀ ହରଣ ଏକାଦଶୀ ବୋଲି କୁହାଯାଏ । ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମିଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ । ଋକ୍ମଣୀ ବିବାହ ପାଇଁ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ।

ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହେବ । ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିଲେ । ତେଣୁ ଏହି ପରମ୍ପରା ମୁତାବକ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମିଣୀରୂପୀ ମା’ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ ।  ବାଟରେ ଶିଶୁପାଳ ପ୍ରତିରୋଧ କରିବେ । ଘମାଘୋଟ ଲଢ଼େଇ ପରେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ ।  ସେବକମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସମ୍ପାଦନ କରିବେ ।  ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ ।  ଏଥି ସହିତ ଭିତର ଚନ୍ଦନ ଯାତ୍ରା ଅବସରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ବିଧି ଅନୁଷ୍ଠିତ ।

 

Leave A Reply

Your email address will not be published.