କୋରାପୁଟ : ମଝିରେ ଲୁହାର ମଜବୁତ କବାଟ । କବାଟ ଛୋଟ ରସ୍ତା ମଧ୍ୟଦେଇ ଲମ୍ବି ଆସିଛି ହାତ । ଏହି ହାତରେ ବାନ୍ଧୁଛନ୍ତି ରାକ୍ଷୀ । ରାକ୍ଷୀ ବନ୍ଧିବା ପରେ ଭାଇ ପାଟିରେ ମିଠା ଖୁଆଉଛନ୍ତି ଭଉଣୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କୋରାପୁଟ ମଣ୍ଡଳ କାରାଗାର ରେ । ଯେଉଁ ଦୃଶ୍ୟ କାରାଗାର କର୍ମଚାରୀ ଓ କୟଦୀ ଓ ଭଉଣୀ ସମ୍ପର୍କିୟଙ୍କୁ ଭାବୁକ କରିଦେଇଥିଲା । ଆଜି ରକ୍ଷା ବନ୍ଧନ ଦିବସ ଅବସରରେ କୋରାପୁଟ ଜେଲର କଏଦିମାନଙ୍କୁ ରାକ୍ଷୀ ବାନ୍ଧିଥିଲେ ଭଉଣୀମାନେ । ଭାଇ ହାତରେ ରାକ୍ଷୀ ବାନ୍ଧି ଭଉଣିମାନେ ଦୀର୍ଘାୟୁ କାମନା କରିଥିଲେ । ଏହା ସହ ଭାଇର ଶୀଘ୍ର ମୁକ୍ତି କାମନା କରିଥିଲେ ।
କୋରାପୁଟ ଶିଶୁ ବିଦ୍ୟା ମନ୍ଦିର ଓ ପ୍ରଜାପତି ବ୍ରହ୍ମ କୁମାରୀ ପକ୍ଷରୁ ଜେଲରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଛି । ବିଭିନ୍ନ ଅପରାଧିକ ମାମଲାରେ ଥିବା ଜେଲର କଏଦୀମାନଙ୍କୁ ରାକ୍ଷୀ ବାନ୍ଧି ଥିଲେ। ରାକ୍ଷୀ ବାନ୍ଧିବା ପରେ ନିଜେ ଜଣେ ଭଲ ମଣିଷ ହୋଇ ସମାଜର ହିତ ପାଇଁ କାର୍ଯ୍ୟ କରିବାକୁ ଉପଦେଶ ଦେବା ସହ ନିଶା ସେବନ ବା ଅପରାଧିକ କାର୍ଯ୍ୟରୁ ସବୁ ଦିନ ପାଇଁ ଦୂରେଇ ରହିବାକୁ ପ୍ରତିଜ୍ଞା କରାଇଥିଲେ । ରାକ୍ଷୀ ବାନ୍ଧି ବେଶ ଭାବୁକ ହୋଇପଡିଥିଲେ ଚାରିକାନ୍ଥ ଭିତରେ ଥିବା ଏହି କଏଦୀମାନେ । ଏଭଳି କାର୍ଯ୍ୟକ୍ରମ ଦ୍ବାରା ଜେଲର କଏଦୀମାନଙ୍କ ମଧ୍ୟରେ ଭଲ କାମ କରିବା ନେଇ ପ୍ରେରଣା ଜାଗ୍ରତ ହୋଇପାରିବ ବୋଲି ଜେଲର କହିଛନ୍ତି ।