କାନ୍ଥରୁ ଲିଭିନି ବାହା ଲେଖା, ଜୁଇରେ ଜଳିଲା ୨ମାସର ଗର୍ଭବତୀଙ୍କ ଚିତା

ଜୟପୁର: କାନ୍ଥରୁ ଲିଭିନି ବାହା ଚିତା । ଏବେ ବି ଦାଉ ଦାଉ ହୋଇ ଦେଖାଯାଉଛି ଅନିଲ ୱେଡସ୍ ରଚନା । କିନ୍ତୁ ବିବାହର ମାତ୍ର ୯ମାସରେ ଲିଭିଗଲା ନବବଧୂ ରଚନାଙ୍କର ଜୀବନ ଦୀପ । ହାତରେ ମେହେନ୍ଦୀ, ପାଦରେ ଅଳତା, ସିନ୍ଥିରେ ସିନ୍ଦୂର ପିନ୍ଧି ବେଦୀରେ ସାତ ଘେରା ନେଇ ସାତ ଜନ୍ମ ପାଇଁ ଜୀବନସାଥି ରୂପେ ଅନିଲଙ୍କୁ ପାଇ ରଚନା ଆସିଥିଲେ ଶାଶୁଘର । କେତେ କଣ ସ୍ୱପ୍ନ ଦେଖିଥିଲେ, କେତେ କଣ ଆଶା ବାନ୍ଧିଥିଲେ । ହେଲେ ସବୁ କିଛି ହୋଇଗଲା ଅନ୍ଧକାର ।
ଏପଟେ ନିଜର ଗେଲ ବସରିଆ ଝିଅକୁ ହରାଇ ସମସ୍ତଙ୍କ ଆଖିରେ ଲୁହ । ସେପଟେ ନିସ୍ତେଜ ହୋଇ ପଡିଛି ରଚନାଙ୍କ ମରଶରୀର । ଗର୍ଭରେ ବଢୁଥିଲା ୨ ମାସର କଅଁଳ ଜୀବନ । ଯେଉଁ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଯାହା ଆମେ ଆପଣଙ୍କୁ ଦେଖାଇ ପାରୁନୁ । ଖୁସିରେ ସଂସାର ଗଢୁ ଗଢୁ ଜୀବନ ଯୁଦ୍ଧରେ ହାରିଗଲେ ରଚନା । ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ସିମିଳିଗୁଡା ଥାନା ଅଧିନସ୍ଥ ବେହେରାଗୁଡାରେ । ନବବଧୂ ରଚନା ସାହୁଙ୍କ ମୃତଦେହ ସେମିତି ଘରେ ପଡିରହିଥିବାବେଳେ, ଏପଟେ ପରିବାର ଆଣିଛି ହତ୍ୟା ଅଭିଯୋଗ ।
ଖବର ମୁତାବକ, ଗତ ମାର୍ଚ୍ଚ ୬ତାରିଖରେ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଚମ୍ପି ଗ୍ରାମର ଚକ୍ରଧର ସାହୁଙ୍କ ଝିଅ ରଚନା ସାହୁ ବୟସ ମାତ୍ର ୨୨ ବର୍ଷ, ସେମିଳିଗୁଡା ସ୍ଥିତ ବେହେରା ଗୁଡା ଗ୍ରାମର ଅନିଲଙ୍କୁ ବିବାହ କରିଥିଲେ । ବିବାହ ଠିକ୍ ହେବା ସମୟରେ ପୁଅ ଘର ତରଫରୁ କୌଣସି ଯୌତୁକ ନେବେ ନାହିଁ ବୋଲି କହିଥିଲେ । କିନ୍ତୁ ନିର୍ବନ୍ଧ ସରିଯିବା ପରେ ୫ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଦେବା ପାଇଁ ଝିଅର ବାପାଙ୍କୁ କହିଥିଲେ । ଗରିବ ଘର ଏତେ ଯୌତୁକ ବା କେମିତି ଦେବେ । ତଥାପି ବିବାହ ପରେ ଜମି ବିକ୍ରି କରି କିଛି କିଛି କରି ଟଙ୍କା ଦେବେ ବୋଲି ରଚନାଙ୍କ ବାପା କହିଥିଲେ ।
ତେବେ ବିବାହର ଗୋଟେ ସପ୍ତାହ ପରେ ଶାଶୁ, ସ୍ୱାମୀଙ୍କ ସମେତ ଘରର ଅନ୍ୟ ପରିବାର ଲୋକେ ମିଶି ଆରମ୍ଭ କରିଦେଲେ ରଚନାଙ୍କ ଉପରେ ନିର୍ଯ୍ୟାତନା । ଏନେଇ ରଚନା ନିଜ ବାପାଙ୍କୁ ଜଣାଇଥିଲେ । ବାପା ଝିଅର ଶାଶୁ ଘରେ ପହଞ୍ଚି ବୁଝାସୁଝା ବି କରିଥିଲେ । ହେଲେ ହଠାତ୍ ଗତକାଲି ସନ୍ଧ୍ୟାରେ ରଚନାଙ୍କ ମାମୁଁଙ୍କୁ ଫୋନ୍ କରି ଝିଅର ଶାଶୁ ଘର ଲୋକେ କହିଥିଲେ, ତୁମ ଝିଅ ଖାଇପିଇ ଶୋଇଛି ଆଉ ଉଠୁନି । ଏ କଥା ଶୁଣିବା ପରେ ତୁରନ୍ତ ରଚନାଙ୍କ ବାପା, ଭାଇ ଓ ପରିବାର ଲୋକେ ଶାଶୁ ଘରେ ପହଞ୍ଚିଥିଲେ । ସେତେବେଳେକୁ ରଚନା ମୃତ୍ୟୁବରଣ କରିସାରିଥିଲେ ।
ଏପଟେ ଶାଶୁ ଘର ଲୋକେ ବୋହୂ ରଚନା ନିଜେ ନିଜକୁ ମାରିଥିବା କହୁଥିବାବେଳେ ଏବଟେ ଝିଅକୁ ଶାଶୁ ଘର ଲୋକେ ମାରି ଦେଇଥିବା ନେଇ ଅଭିଯୋଗ କରିଛନ୍ତି ରଚନାଙ୍କ ଘର ଲୋକ । ଘଟଣାସ୍ଥଳରେ ସେମିଳିଗୁଡା ପୋଲିସ୍ ପହଞ୍ଚି ମରଶରୀର ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ୨ ମାସର ଗର୍ଭବତୀ ଥିବା ରଚନାଙ୍କର କାହିଁବା ନିଜର ଜୀବନ ନେବେ । ତେବେ କେମିତି କିଭଳି ରଚନାଙ୍କର ମୃତ୍ୟୁ ଘଟିଲା? ପ୍ରକୃତ କାରଣ ଜାଣିବା ପାଇଁ ତନାଘନା ତଦନ୍ତ କରୁଛି ପୋଲିସ୍ ।
ଦିନେ ଝିଅର ସୁଖ ମନାସୀ କେତେ ଦୀପ ଜାଳିଥିଲେ ଦିଅଁ ପାଖରେ । ହେଲେ ସୁଖ ମିଳିବ କଣ ସାରା ଜୀବନ କନ୍ଦାଇଦେଇ ଚାଲିଗଲା ସୁନା ଝିଅ । ବାପା,ମାଆ, ଭାଇ, ଭଉଣୀଙ୍କୁ ସବୁଦିନ ପାଇଁ ଲୁହ ଦେଇଗଲା । ଏ ଘଟଣା ସତରେ ଯଦି ଯୌତୁକ ପାଇଁ ହିଁ ଘଟିଥାଏ ତେବେ ମଣିଷ ରୂପୀ ରାକ୍ଷସ ମାନଙ୍କୁ ଉଚିତ୍ ଦଣ୍ଡ ମିଳିବା ନିହାତୀ ଆବଶ୍ୟକ ।