ବିରଜା ପରିକ୍ରମା ପ୍ରକଳ୍ପ ଓ ହାଟ ଖୋଲିବା ପ୍ରସଙ୍ଗକୁ ନେଇ ଶେଷ ହେବାକୁ ଯାଉଛି ସବୁ ନାଟ
ଯାଜପୁର ଟାଉନ୍: ଯାଜପୁରରେ ମାଆ ବିରଜା ପରିକ୍ରମା ପ୍ରକଳ୍ପ ଏବଂ ହାଟକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇସାରିଛି । ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ କ୍ରମେ ଏବେ ଏହି ପରିସ୍ଥିତିରେ କିଛିଟା ସୁଧାର ଆସିଛି । ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଏକ ବୈଠକ ଜରିଆରେ ଏହାର ସମାଧାନ ନିମନ୍ତେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ବୈଠକରେ ସହରର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ବ୍ୟବସାୟୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ । ବିବାଦୀୟ ଅଞ୍ଚଳ ମାପଚୁପ ପରେ ଆସନ୍ତା ୭ ଦିନ ପରେ ପୁଣି ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପରିକ୍ରମା ପ୍ରକଳ୍ପ ଏବଂ ସେହି ପରିକ୍ରମା ପ୍ରକଳ୍ପ ଅଞ୍ଚଳ ଭିତରେ ହାଟ ପୁନଃ ପ୍ରତିଷ୍ଠାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଏହି ତ୍ଵରିତ ପଦକ୍ଷେପ ନେଇଛି । ପରିକ୍ରମା ପ୍ରକଳ୍ପ ଏବଂ ହାଟ ପାଇଁ ଦାବି କରୁଥିବା ଦୁଇ ପକ୍ଷଙ୍କ ସମେତ ସହରର ବୁଦ୍ଧିଜୀବୀମାନଙ୍କ ଠାରୁ ବୈଠକ ମାଧ୍ୟମରେ ମତାମତ ସଂଗ୍ରହ କରିଥିବା ଉଦ୍ୟମ ଆରମ୍ଭ କରିଛି ଜିଲ୍ଲାପ୍ରଶାସନ । ବୈଠକରେ ମୁଖ୍ୟତଃ ପରିକ୍ରମା ପ୍ରକଳ୍ପ କୁ କାର୍ଯକାରୀ କରିବା ଉପରେ ଗୁରୁତ୍ଵ ଦିଆଯାଇଥିବା ଦେଖିବାକୁ ମିଳିଛି ।
ପରିକ୍ରମା ପ୍ରକଳ୍ପକୁ କାର୍ଯକାରୀ କରିବା ପାଇଁ ଏଠାରେ ଥିବା ଘରୋଇ ହାଟକୁ ସ୍ଥାନାନ୍ତର କରିଥିଲା ଜିଲ୍ଲା ପ୍ରଶାସନ । ଗତ ସାଧାରଣ ନିର୍ବାଚନ ପରେ ଉଠିଯାଇଥିବା ହାଟକୁ ପୁନଃ ପ୍ରତିଷ୍ଠା ପାଇଁ ଦାବି କଲେ । ଏହାକୁ ନେଇ ଦୁଇ ଗୋଷ୍ଠୀ ସାମ୍ନା କୁ ଆସିବା ପରେ ଏବେ ବିବାଦ ଉଗ୍ର ରୂପ ଧାରଣ କରିଛି । ତେବେ ଜିଲ୍ଲାପ୍ରଶାସନ ଏବେ ଏହାର ସମାଧାନ କରିବା ପାଇଁ ସବୁ ବର୍ଗର ବ୍ୟକ୍ତିବିଶେଷଙ୍କୁ ସନ୍ତୁଷ୍ଟ ପାଇଁ ଉଦ୍ୟମ ଜାରି ରଖିଛି।
ସେପଟେ ଆଲୋଚନା ସକାରାତ୍ମକ ରହିଛି ଏବଂ ପରିକ୍ରମା ପ୍ରକଳ୍ପକୁ ପ୍ରଭାବିତ ନ କରି କିଭଳି ହାଟ କରାଯାଇପାରିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିପାଇଁ ଆବଶ୍ୟକ ହେଲେ ଅଧିକ ଜମି ଅଧିଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଛି । ଯେଉଁ ବିରଜା ପରିକ୍ରମା ପ୍ରକଳ୍ପ ଓ ହାଟ ଖୋଲିବା ପ୍ରସଙ୍ଗକୁ ନେଇ ଏତେ ନାଟ ଦେଖାଦେଇଛି ସେହି ନାଟକୁ ଶେଷ କରିବା ପାଇଁ ଜିଲା ପ୍ରଶାସନ ବାଟ ବାହାର କରିବା ପାଇଁ ଦାବି ଜୋର୍ ଧରିଛି।