ଚାଷୀଙ୍କ ମହାନତା, ଫେରାଇଲେ ଆକାଉଣ୍ଟକୁ ଆସିଥିବା ୯୪ହଜାର ଟଙ୍କା

ଯାଜପୁର : ଏବେବି ବଞ୍ଚିଛି ମାନବିକତା । ଏ ସ୍ୱାର୍ଥପର ଦୁନିଆରେ ଅଛନ୍ତି କିଛି ନିସ୍ଵାର୍ଥ ପର ଲୋକ ଯେଉଁମାନେ ନିଜ ସ୍ୱାର୍ଥ ଠୁ ଅଧିକା ପରର ହିତ କଥା ଚିନ୍ତା କରୁଛନ୍ତି । ନହେଲେ ଆପଣ ନିଜେ ଭାବନ୍ତୁନା ଜଣେ ବ୍ୟକ୍ତି ନିଜ ଆକାଉଣ୍ଟ ରେ ଏତେ ଗୁଡ଼ାଏ ଟଙ୍କା ପାଇବା ପରେ କାହିଁକି ଏମିତି ଫେରାଇଥାଆନ୍ତେ । ନିଜର ଏହି ମହାନତା ଦେଖାଇ ପ୍ରଶଂସା ସାଉଣ୍ଟୁଛନ୍ତି ଏହି ବ୍ୟକ୍ତି ।ତେଣୁ ଆମେ ବି ଭାବିଲୁ ଯେ ଏହି ବ୍ୟକ୍ତିଙ୍କୁ ଆପଣଙ୍କ ସହ ଟିକେ ପରିଚିତ କରାଇବୁ ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ…
ଅନେକ ବ୍ୟକ୍ତି ଜାଣତରେ ହେଉ ଅବା ଅଜାଣତରେ ସାଇବର ଠକେଇର ହେଉଛନ୍ତି ଶିକାର। ଆଉ କେତେକ କ୍ଷେତ୍ରରେ ପରିଚାଳନା ଗତ ତୃଟି ଯୋଗୁ ଟଙ୍କା ଫସି ରହିବା ଅବା ଅନ୍ୟ କାହା ଆକାଉଣ୍ଟକୁ ଚାଲିଯିବାର ନଜିର ମଧ୍ୟ ରହୁଛି । ତେବେ ଏଭଳି ଏକ ଘଟଣା ଦେଖିବାକୁ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳରେ। ଜଣେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଭୁଲ ରେ ଆସିଯାଇଥିଲା ଟଙ୍କା । ସେ ପୁଣି ଟଙ୍କାଟେ କି ୨ ଟଙ୍କା ନୁହେଁ ପୁରା ୯୪ ହଜାରରୁ ଅଧିକ ଟଙ୍କା । ଖାତାକୁ ଟଙ୍କା ଆସିଥିବା ଜାଣି ସେହି ଟଙ୍କାକୁ ଫେରସ୍ତ କରିବା ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ବାଲିଚନ୍ଦ୍ରପୁର ଥାନା ଭରତପୁର ପଂଚାୟତ ପଣସୁଧା ଗାଁର ପିତବାସ ସାମଲ ହେଉଛନ୍ତି ଜଣେ ଚାଷୀ। ପିତବାସଙ୍କ ସ୍ଥାନୀୟ ଗୋପାଳପୁର ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଜମା ଖାତା ରହିଛି । ଗତ ସେପ୍ଟେମ୍ବର ମାସ ୨୭ ତାରିଖରେ ତାଙ୍କ ଜମା ଖାତାକୁ କଟକ ଜିଲ୍ଲା ଟାଙ୍ଗିସ୍ଥିତ ଓଡିଶା ଡାଏରୀ ଫାର୍ମ ନାମକ ଏକ ଏକାଉଣ୍ଟରୁ ୯୪ ହଜାର ୧୭୮ ଟଙ୍କା ଆସିଥିଲା। ପିତବାସଙ୍କ ଜମା ଖାତାକୁ ଉକ୍ତ ଟଙ୍କା ଭୁଲ ବଶତଃ ଯାଇଥିବା କମ୍ପାନୀ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ପରେ କମ୍ପାନୀ କର୍ମଚାରୀ ପିତବାସଙ୍କ ସହ ପ୍ରଥମେ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା। ଫଳରେ ପୀତବାସଙ୍କ ଠିକଣା ପାଇ କମ୍ପାନୀ କର୍ମଚାରୀ ତାଙ୍କ ଘରେ ଆଜି ପହଞ୍ଚି ଏ ସମ୍ବନ୍ଧରେ ଜଣାଇଥିଲେ ।
ପୀତବାସ ତୁରନ୍ତ ଆଜି ବ୍ୟାଙ୍କୁ ଆସି ଉକ୍ତ ଟଙ୍କାକୁ ସମ୍ପୃକ୍ତ କମ୍ପାନୀକୁ ଫେରସ୍ତ କରିଛନ୍ତି। ପୀତବାସଙ୍କର ଏହି ମହାନତା ପାଇଁ ଉକ୍ତ କମ୍ପାନୀ ୯୪ ହଜାର ୧୭୮ଟଙ୍କା ଫେରି ପାଇଛି । ଏନେଇ କମ୍ପାନୀ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଅଂଚଳରର ବୁଦ୍ଧିଜିବୀ ପୀତବାସଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।