ଅଷ୍ଟମ ଦିନରେ ଇମ୍ଫା ଖଣିର ଶ୍ରମିକ ଆନ୍ଦୋଳନ, ମୁଖ୍ୟ ଫାଟକ ଆଗରେ ଶ୍ରମିକଙ୍କ ଧାରଣା ଜାରି

ଯାଜପୁର(କେନ୍ଯୁଜ୍) : ଅଷ୍ଟମ ଦିନରେ ପହଞ୍ଚିଛି ଯାଜପୁର କାଳିଆପାଣି ସ୍ଥିତ ଇମ୍ଫା ଖଣିରେ ଚାଲିଥିବା ଶ୍ରମିକ ଆନ୍ଦୋଳନ । ୭ଦଫା ଦାବି ନେଇ ସୁକିନ୍ଦା ରିଜିଅନ୍‌ କ୍ରୋମାଇଟି ଖାଦାନ ମଜଦୁର ୟୁନିୟନ ନେତୃତ୍ୱରେ ଶ୍ରମିକଙ୍କ ଆନ୍ଦୋଳନ ଜାରି ରହିଛି । ଫଳରେ ୨ଟି କ୍ରୋମାଇଟି ଖଣିରେ ଖଣି ଉତ୍ତୋଳନ ଓ ପରିବହନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏନେଇ ପୂର୍ବରୁ ଖଣି କର୍ତ୍ତୃପକ୍ଷ, ମଜଦୁର ୟୁନିୟନ ଏବଂ ଶ୍ରମିକଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ନେଇ ଏକ ବୈଠକ ହୋଇଥିଲା । ତେବେ ଏହି ଆଲୋଚନା ବିଫଳ ହୋଇଛି । ତେଣୁ ଶ୍ରମିକମାନେ ଖଣି ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଇମ୍ଫା କମ୍ପାନୀର ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ନିର‌୍ୟାସ ବାହାରିବ ବୋଲି ବିଧାୟକ କହିଛନ୍ତି ।