ଟ୍ରେନ୍‌ ଦୁର୍ଘଟଣାର ଯନ୍ତ୍ରଣା : ଅଢ଼େଇ ମାସର ପିଲାକୁ ଛାଡ଼ି ସବୁଦିନ ପାଇଁ ଆଖି ବୁଜି ଦେଲେ କଣ୍ଢେଇ

ଯାଜପୁର (କେନ୍ୟୁଜ୍‌) : ଟିକେଟ୍‌ କାଟିଲେ ଡାକ୍ତରଖାନା ଯିବା ପାଇଁ ହେଲେ ସେ ଟିକେଟ୍‌ ଯେମିତି ଥିଲା ଯମପୁର ଲାଗି । କିଏ ଜାଣିଥିଲା ସୋମବାର ସକାଳ ଏମିତି ଅଶୁଭ ହେବ ବୋଲି । ନିଜ ଦେହ ଭଲ କରିବା ପାଇଁ କଟକ ବଡ଼ ଡାକ୍ତରଖାନାକୁ ବାହାରିଥିବା ଏ ପରିବାର ଉପରେ ଏମିତି ବିପଦ ଓଜାଡ଼ି ହୋଇଯିବ ବୋଲି କେହି ସ୍ୱପ୍ନରେ ବି ଭାବି ନଥିଲେ । କାଳସର୍ପ ଭଳି କେଉଁଠି ଥିଲା ଏ ମାଲବାହୀ ଟ୍ରେନ୍‌ ଅଚାନକ ଆସି ଚଢ଼ିଗଲା ପ୍ଲାଟଫର୍ମରେ । ଯେଉଁଠି ସୁରକ୍ଷିତ ଭାବେ ଯାତ୍ରୀ ଟ୍ରେନ୍‌କୁ ଅପେକ୍ଷା କରନ୍ତି ସେଠି ମାଡ଼ିଗଲା ଏହି ଟ୍ରେନ୍‌ ଆଉ ମାରିଦେଲା ମା ଓ ଝିଅଙ୍କୁ । ପୁଣି ଗୁରୁତର ଆହତ ହୋଇ ଆଉ ଜଣେ ମହିଳା ପ୍ରାଣ ହରାଇଛନ୍ତି । ସେମାନେ ସମସ୍ତେ ନିକଟସ୍ଥ ଉଚିଣ୍ଡା ଗାଁର । ମା ପାର୍ବତୀ ବିନ୍ଧାଣି ଆଉ ତାଙ୍କ ଝିଅ କଣ୍ଢେଇ ବିନ୍ଧାଣିଙ୍କ ଜୀବନ ଚାଲିଗଲା । ହେଲେ କାଖରେ ଥିବା ଅଢ଼େଇ ମାସର ପୁଅ କିନ୍ତୁ ଈଶ୍ୱରଙ୍କ ଚମତ୍କାର ଯୋଗୁଁ ସାମାନ୍ୟ ଆହତ ହୋଇ ବଞ୍ଚି ଯାଇଛି । ଆଉ ଜଣେ ମହିଳା ମଧ୍ୟ ଏଇ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ସେ ହେଉଛନ୍ତି ଅବଜୁଲ ବିବି ।

3

କଣ୍ଢେଇଙ୍କ ପେଟରେ ଟ୍ୟୁମର ହୋଇଥିଲା । ତେଣୁ ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡିକାଲକୁ ନେଇ ଯାଉଥିଲେ । ଭଦ୍ରକ ଡିଏମ୍‌ୟୁରେ ଯିବା ପାଇଁ ଅପେକ୍ଷା କରିଥିଲେ । କଣ୍ଢେଇଙ୍କ ସ୍ୱାମୀ ବଳରାମ ବିନ୍ଧାଣି ଟିକେଟ୍‌ କାଟି ସାରିବା ପରେ ଯାତ୍ରୀ ପ୍ରତୀକ୍ଷାଳୟରେ ଶାଉ ପାର୍ବତୀ ଓ ସ୍ତ୍ରୀ କଣ୍ଢେଇ ସହ ଅଢ଼େଇ ମାସର ପୁଅକୁ ଛାଡ଼ି ଚା’ ପିଇବାକୁ ଚାଲି ଆସିଲେ । ସ୍ତ୍ରୀ ଓ ଶାୁଙ୍କ ପାଇଁ ଚା ନେଇ ଆସିଥାନ୍ତେ । ହେଲେ ଚା ଦୋକାନ ପାଖରେ ଥିବା ବେଳେ ହଠାତ୍‌ ପ୍ରଚଣ୍ଡ ଶବ୍ଦ ଶୁଭିଲା । ଆଉ ଦେଖିଲା ବେଳକୁ କୋରେଇ ଷ୍ଟେସନ୍‌ ପ୍ଲାଟଫର୍ମ ଛାତ ଭାଙ୍ଗି ଟ୍ରେନ୍‌ ମାଡ଼ି ଯାଇଛି । ଆଉ ଛାତ ଭୁଶୁଡ଼ି ପଡ଼ିଛି ଲୋକଙ୍କ ଉପରେ ।

ଭଦ୍ରକ ଓ ଯାଜପୁର ରୋଡ଼ ମଝିରେ ରହିଛି କୋରେଇ ଷ୍ଟେସନ୍‌ । ଏଇ ଛୋଟିଆ ଷ୍ଟେସନ୍‌ ଉପରେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରନ୍ତି । ସକାଳୁ ଭଦ୍ରକ ଡିଏମ୍‌ୟୁରେ କଟକ ଭୁବନେଶ୍ୱର ଆଦି ଅଞ୍ଚଳକୁ ଯିବା ଆସିବା କରିଥାନ୍ତି । ହେଲେ ଟ୍ରେନ୍‌ ଆସିବାର ସମୟ ହୋଇ ନଥିବାରୁ ଅନେକ ଯାତ୍ରୀ ପହଞ୍ଚି ନଥିଲେ । ଆଉ ଯେଉଁମାନେ ଥିଲେ ସକାଳ ୬ଟା ୪୦ ମିନିଟ୍‌ରେ ଘଟିଥିବା ଏଇ ଭୟଙ୍କର ଦୁର୍ଘଟଣାର ଶିକାର ହେଲେ । ଯିଏ ପ୍ରତ୍ୟକ୍ଷଦର୍ଶୀ ସାଜିଥିଲେ ସେମାନଙ୍କ ଲୋମ ଟାଙ୍କୁରି ଉଠୁଛି ଘଟଣା ସମ୍ପର୍କରେ କହିବା ବେଳେ । ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ପାଞ୍ଚ ଜଣ ଆହତ ହୋଇଛନ୍ତି ।

1

ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ କିଛି ପ୍ରଶ୍ନ ଉଠିଛି ଏଠାକାର ବ୍ୟବସ୍ଥାକୁ ନେଇ । କୁହାଯାଉଛି କି ମାଲଗାଡ଼ିର ଗୋଟିଏ ଓ୍ଵାଗନର ଝରକା ଖୋଲାଥିଲା । ଏହା ଯେତେବେଳେ କୋରେଇ ଷ୍ଟେସନ୍‌ ଅତିକ୍ରମ କରୁଥିଲା ସେହି ଝରକାଟି ଷ୍ଟେସନ୍‌ କାନ୍ଥରେ ବାଡ଼େଇ ହୋଇ ଯିବାରୁ ଟ୍ରେନ୍‌ ନିୟନ୍ତ୍ରଣ ହରାଇଥିଲା । ଟ୍ରେନ୍‌ ଯାତ୍ରୀ ବିଶ୍ରାମାଗାର ଏବଂ ଟିକେଟ୍‌ ଘର ଉପରକୁ ମାଡ଼ି ଯାଇଥିଲା । ତାର ୧୦ରୁ ୧୨ଟି ବଗି ଛିଟିକି ପଡ଼ିଥିଲା । ତା ସହିତ ପ୍ରଚଣ୍ଡ ଧକ୍କାରେ ବାଜି ଫୁଟ୍‌ ଓଭରବ୍ରିଜ୍‌ ବି ଭୁଶୁଡ଼ି ପଡ଼ିଲା ।

ଅଭିଯୋଗ ହେଉଛି କି ଟ୍ରାକ୍‌ର ରକ୍ଷଣା ବେକ୍ଷଣ ଠିକ୍‌ ଭାବେ ହୋଇନଥିବାରୁ ଏମିତି ଦୁର୍ଘଟଣା ଘଟିଲା । ପୁଣି ଏକ ଅଭିଯୋଗ ହେଉଛି ଏହି ପ୍ଲାଟଫର୍ମର ଅତି ନିକଟରେ ରହିଛି ଯାତ୍ରୀ ବିଶ୍ରାମଗାର ଓ ଟିକେଟ୍‌ ଘର । ପ୍ଲାଟଫର୍ମକୁ ସମ୍ପ୍ରସାରଣ କରି ଏସବୁ ଗୃହକୁ ଦୂର ଜାଗାକୁ ନେବା ପାଇଁ ପୂର୍ବରୁ ଦାବି ହୋଇଥିଲା । ହେଲେ ରେଳ ବିଭାଗର ଅବହେଳା ଯୋଗୁଁ ତାହା ହୋଇ ପାରିନାହିଁ । ଯାହାଫଳରେ ଟ୍ରେନ୍‌ ପ୍ଲାଟଫର୍ମ ଉପରକୁ ମାଡ଼ିଗଲା ବୋଲି ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

2

ତେବେ ରେଳ ବିଭାଗ ଏକ ତଦନ୍ତ କମିଟି ଗଠନ କରି ଦୁର୍ଘଟଣାର ପ୍ରକୃତ କାରଣ ଖୋଜୁଛି । ପୁଣି ରେଳ ବିଭାଗ ସହିତ ଯାଜପୁର ଜିଲ୍ଲା ପ୍ରଶାସନ ମିଶି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ କରିବା ପାଇଁ ଜୋରସୋରରେ ଉଦ୍ୟମ ଚାଲୁ ରହିଛି । ଏବେ କିଛି ଟ୍ରେନ୍‌କୁ ବାତିଲ କରି ଦିଆ ଯାଇଥିବା ବେଳେ ଅନ୍ୟ କିଛି ଟ୍ରେନ୍‌ ବିଭିନ୍ନ ଷ୍ଟେସନ୍‌ରେ ଅଟକି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.