ଯାଜପୁର: ମା’ ବିରଜାଙ୍କ ରଥଯାତ୍ରା ନେଇ ଆଉ ଏକ ଆବେଦନ, ସେବାୟତ ପରିଷଦ ପରେ ଜିଲ୍ଲା ଆଇନଜୀବୀ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ

ଯାଜପୁର ଟାଉନ : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ପାଇଁ ଅନୁମତି ଦେବାକୁ ହାଇକୋର୍ଟଙ୍କ ନିକଟରେ ଆବେଦନ କଲା ଜିଲ୍ଲା ଆଇନଜୀବୀ ସଂଘ । ଯାଜପୁର ଜିଲ୍ଲା ଆଇନଜୀବୀ ସଂଗଠନ ସଭାପତି ପ୍ରବୀର ରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପରମ୍ପରାକୁ ରକ୍ଷା କରି ମା ବିରଜାଙ୍କ ରଥଯାତ୍ରା ପାଇଁ ଅନୁମତି ଦେବାକୁ ନିବେଦନ କରିଛନ୍ତି । ବର୍ଷ ବର୍ଷ ଧରି ଚଳି ଆସୁଥିବା ପରମ୍ପରାକୁ କୋଭିଡ କଟକଣା ଯୋଗୁଁ ବନ୍ଦ ନକରିବାକୁ ଏହି ଆବେଦନରେ କୁହାଯାଇଛି ।

ପୂର୍ବରୁ ମଧ୍ୟ ମନ୍ଦିର ସେବାୟତ ପରିଷଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପ୍ରତିବର୍ଷ ପବ୍ରିତ ଦୁର୍ଗୋତ୍ସବ ଅବସରରେ ମା ବିରଜା ନିଜସ୍ୱ ରଥ ନିର୍ମାଣ ହୋଇ ୯ ଦିନ ଧରି ବେଢ଼ା ପରିକ୍ରମା କରିଥାଏ । କିନ୍ତୁ ଚଳିତ ବର୍ଷ କୋରୋନା ଜନିତ କଟକଣା ଯୋଗୁଁ ବିଭିନ୍ନ ଧର୍ମୀୟ ଅନୁଷ୍ଠାନମାନଙ୍କରେ ଦୈନିକ ନୀତି ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମ ବନ୍ଦ ରହିଛି । ସେଥିଲାଗି ଚଳିତ ବର୍ଷର ବିରଜା ରଥଯାତ୍ରା ହେବା ନେଇ ଦ୍ୱନ୍ଦ୍ୱ ଉପୁଜିଛି । ତେଣୁ ଭକ୍ତମାନଙ୍କ ଭାବାବେଗକୁ ବିଚାର କରି ହାଇକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେବାକୁ ନିବେଦନ କରିଛି ଆଇନଜୀବୀ ସଂଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.