ଯାଜପୁର ବାଲିଚନ୍ଦ୍ରପୁର ବଜାରରୁ ମା ପୁଅ ନିଖୋଜ ହେବା ଘଟଣା: ସମ୍ପତ୍ତି ବାଡ଼ି ବିବାଦରୁ ଦିଅର କରିଥିଲା ଅପହରଣ

ଯାଜପୁର(କେନ୍ୟୁଜ୍):  ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରୁ ମା ପୁଅ ନିଖୋଜ ହେବା ଘଟଣା । ଗତକାଲି ଅଚେତ ଅବସ୍ଥାରେ ମା ପୁଅଙ୍କୁ ଛତିଶଗଡ ଅଂଚଳରୁ ଉଦ୍ଧାର କରାଯାଇଥିଲା । ସେଠାରେ ବାଲିଚନ୍ଦ୍ରପୁର ପୋଲିସ ପହଂଚି ଉଭୟଙ୍କୁ ଆଜି ବାଲିଚନ୍ଦ୍ରପୁର ଥାନାକୁ ଆଣିଛି । ତେବେ ସମ୍ପତ୍ତି ପାଇଁ ନିଜ ସଂପର୍କୀୟ ଉଭୟ ମା ଓ ପୁଅଙ୍କୁ ଅପହରଣ ଓ ହତ୍ୟା ଯୋଜନା କରିଥିବା ନେଇ ଆସିଛି ସଂଗୀନ ଅଭିଯୋଗ । ସୂଚନା ମୁତାବକ ଗତ ୧୨ ତାରିଖ ଅପରାହ୍ନରେ ସ୍ଥାନୀୟ କୃଷ୍ଣପୁରଶାସନ ଗ୍ରାମର ଶୁଭଲକ୍ଷ୍ମୀ ମିଶ୍ର ଓ ତାଙ୍କ ୧୫ବର୍ଷର ପୁଅ ଅଂଶୁମାନ ମିଶ୍ର ବାଲିଚନ୍ଦ୍ରପୁର ବଜାରକୁ ମାର୍କେଟିଂ କରିବାକୁ ଆସି ନିଖୋଜ ହୋଇଯାଇଥିଲେ । ତେବେ ଉଭୟଙ୍କୁ ଗତ କାଲି ଛତିଶଗଡ ରାଜ୍ୟର ସରେଇପାଲି ଅଂଚଳରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହି ସମୟରେ ଉଭୟଙ୍କ ମସ୍ତକ ଲଣ୍ଡିତ ଥିବା ବେଳେ ମୁହଁରେ କଳା ବୋଳା ହୋଇଥିବା ଦେଖିବାକୁ ମିଳିଥିଲା ।

ଖବର ପାଇ ବାଲିଚନ୍ଦ୍ରପୁର ପୋଲିସର ଏକ ଟିମ ସେଠାକୁ ଯାଇ ଉଭୟଙ୍କୁ ଉଦ୍ଧାର କରି ଆଜି ଥାନାକୁ ଆଣିଛି । ତେବେ ମା ପୁଅ ନିଖୋଜ ହେବା ଦିନ ଶୁଭଲକ୍ଷ୍ମୀଙ୍କ ବାପା ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସମ୍ପତ୍ତି ବାଡି ପାଇଁ ଶୁଭଲକ୍ଷ୍ମୀଙ୍କ ଦିଅର ଉଭୟଙ୍କୁ ଅପହରଣ ଓ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବା ପାଇଁ ଯୋଜନା କରିଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଶୁଭଲକ୍ଷ୍ମୀଙ୍କ ପରିବାର । ପୂର୍ବରୁ ଶୁଭଲକ୍ଷ୍ମୀଙ୍କ ସ୍ୱାମୀ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ସମ୍ପତ୍ତି ପାଇଁ ପରିବାରରେ ବିଶୃଙ୍ଖଳା ଘଟିବା ଯୋଗୁ ଶୁଭଲକ୍ଷ୍ମୀ ପୁଅକୁ ସାଙ୍ଗରେ ନେଇ କିଛି ବର୍ଷ ହେବ ବାପଘରେ ରହୁଥିବା ଜଣାଯାଇଛି । ତେବେ ଏହି ଘଟଣାରେ ବାଲିଚନ୍ଦ୍ରପୁର ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ପୋଲିସର କୈାଣସି ପ୍ରତିକ୍ରୀୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.