ଆଇନ୍ ଭାଙ୍ଗୁଥିବା ଗାଡ଼ିଚାଳକଙ୍କୁ ଯାଜପୁର ଆରଟିଓ ପକ୍ଷରୁ ପାନେ, ଧରପକଡ଼ ସହ ଜରିମାନା ଆଦାୟ

ଯାଜପୁର ଟାଉନ (କେନ୍ୟୁଜ) : ଯାଜପୁରରେ ସଡକ ସୁରକ୍ଷା ପାଇଁ ବ୍ୟାପକ ଧରପକଡ ଆରମ୍ଭ ହୋଇଛି । ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ପୁଲିସ ସହାୟତାରେ ସହରର ବିଭିନ୍ନ ସ୍ଥାନରେ ଗାଡ଼ିର ଫିଟ୍ନେସ୍, ସିଟବେଲ୍ଟ, ପରମିଟ୍, ହେଲମେଟ୍, ଇନ୍ସୁରାନ୍ସ ଆଦି ଯାଞ୍ଚ କରାଯାଉଛି । ଜୁନିୟର ଏମଭିଆଇ ବସନ୍ତ କୁମାର ସେନାପତିଙ୍କ ନେତୃତ୍ୱରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଧରପକଡ ଜାରି ରହିଛି । ଏଥି ସହିତ ସ୍କୁଲ ବସ ଓ ଅନ୍ୟ ଯାନବାହନଗୁଡିକରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ତାଗିଦ ମଧ୍ୟ କରାଯାଇଛି ।
ସେହିପରି ଯାଜପୁରରୁ କଟକ ଓ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସ୍ ଗୁଡିକ ପରମିଟ୍ ଥିବା ସତ୍ତ୍ୱେ ପାଣିକୋଇଲି ଦେଇ ଯାଉନଥିବା ଗାଡିକୁ ତନଖି କରାଯାଇଥିଲା । ସେମାନଙ୍କୁ ନିଜ ନିଜ ପରମିଟ୍ ଅନୁଯାୟୀ ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥି ସହିତ ବିଭିନ୍ନ ଟ୍ରାଫିକ୍ ସୁରକ୍ଷା ଆଇନ ମାନୁ ନଥିବା ୩୧ ଗାଡି ଚାଳକଙ୍କ ଠାରୁ ମୋଟ ୧ ଲକ୍ଷ ୨୩ ହଜାର ୬୪୪ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଏଭଳି ନିୟମିତ ଯାଞ୍ଚ କରାଗଲେ ବେପରୁଆ ଗାଡିଚାଳକମାନେ ସାବଧାନ ହେବେ ବୋଲି ସାଧାରଣାର ମତ ମତପ୍ରକାଶ ପାଇଛି ।