କମ୍ପ୍ୟୁଟର ଯୁଗ ପରେ ଏବେ ଆସିଛି ରୋବଟ ଯୁଗ। ଆଜିର ଛାତ୍ରଛାତ୍ରୀ ରୋବଟ୍ ନିର୍ମାଣ ଓ ଏହାର ବ୍ୟବହାର ସମ୍ପର୍କରେ ଶିକ୍ଷାଲାଭ କରିବାକୁ ଆଗ୍ରହୀ ହେଉଛନ୍ତି। ତେଣୁ ରୋବଟ୍ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବା ପାଇଁ ବିଭିନ୍ନ ସମୟରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ରୋବୋଟିକ୍ସ କର୍ମଶାଳା, ପ୍ରଦର୍ଶନୀ ଓ ପ୍ରତିଯୋଗିତା ମାନ ଆୟୋଜନ କରାଯାଉଛି । ତେବେ ନିକଟରେ ଦିଲ୍ଲୀର ନୋଏଡା ଠାରେ ଆୟୋଜିତ ହୋଇଥିବା ଏକ ଅନ୍ତର୍ଜାତୀୟ ରୋବଟିକ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଯାଜପୁରର ଛାତ୍ରଛାତ୍ରୀ । ଏହି ଓ୍ବାର୍ଲ୍ଡ ରୋବୋଟିକ୍ସ ଚମ୍ପିୟନସିପରେ ୨ଟି ପୁରଷ୍କାର ଜିତି ଏହି କୁନିକୁନି ଛୀତ୍ରଛାତ୍ରୀମାନେ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜ୍ଜନ କରିଛନ୍ତି । ଏହି ପ୍ରତିଯୋଗିତାରେ ଭାରତ ସମେତ ଅନ୍ୟ ୫୦ଟି ଦେଶର ୫ ହଜାରରୁ ଉର୍ଦ୍ଧ୍ବ ଟିମ୍ ଅଂଶଗ୍ରହଣ କରିଥିଲେ।
ରୋବଟ୍ ଆଗାମୀ ପିଢ଼ିର ସବୁଠାରୁ ଭଲ ବନ୍ଧୁ ହେବାକୁ ଯାଉଛି । ତେଣୁ ବିଭିନ୍ନ ସ୍କୁଲ ଓ କଲେଜରେ ରୋବୋଟିକ୍ସ ଶିକ୍ଷାକୁ ଏବେଠୁ ଗୁରୁତ୍ବ ଦିଆଗଲାଣି । ତେବେ ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ କିଡ୍ଡି କିଡସ୍ ପ୍ରିମିୟମ ସ୍କୁଲର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଭାଗନେଇ ସଫଳତା ଅର୍ଜ୍ଜନ କରିପାରିଛନ୍ତି । All India Council Of Robotics and Automation ଏବଂ Ministry Of Electronics and IT ପକ୍ଷରୁ ଆୟୋଜିତ ଏହି ଓ୍ବାର୍ଲ୍ଡ ରୋବୋଟିକ୍ସ ଚମ୍ପିୟନସିପରେ ଭାରତ ସମେତ ଅନ୍ୟ ୫୦ଟି ଦେଶର ୫ ହଜାରରୁ ଉର୍ଦ୍ଧ୍ବ ଟିମ୍ ଅଂଶଗ୍ରହଣ କରିଥିଲେ । ଏଠାରେ ରୋବୋଟିକ୍ସ ଜ୍ଞାନକୌଶଳ ଉପରେ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ହୋଇଥିଲା । ଏଥିରେ ଓଡ଼ିଶାର ଏକମାତ୍ର ଜୁନିଅର ଟିମ୍ ଭାବରେ କିଡ୍ଡି କିଡସ୍ ସ୍କୁଲର ଛାତ୍ରଛାତ୍ରୀମାନେ “ରୋବୋ ଓଡ଼ିଶା” ଟିମ୍ ନାମରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ତେବେ ପ୍ରତିଯୋଗିତା ଶେଷରେ “ରୋବୋ ଓଡ଼ିଶା” ଟିମ୍ କୁ ମେଜ୍ ସଲଭର ବିଭାଗରେ ଓ୍ବିନର ଏବଂ ରୋବୋ ରେସ୍ ରେ ଫାଷ୍ଟ ରନରଅପ୍ ଆଦି ୨ଟି ଆଓ୍ବାର୍ଡ ମିଳିଥିଲା। ଯାହା କେବଳ ଯାଜପୁର ନୁହେଁ, ସାରା ଓଡିଶା ପାଇଁ ଗୌରବ ଆଣି ଦେଇଛି । ଯେଉଁଥିପାଇଁ ଏହି କୁନିକୁନି ଛାତ୍ରଛାତ୍ରୀମାନେ ଆଜି ସବୁଠି ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।
ପୂର୍ବରୁ ଟିଭି ଓ ଇଣ୍ଟରନେଟରେ ରୋବଟ୍ ଦେଖୁଥିବା ଏହି ଛାତ୍ରଛାତ୍ରୀ ଏବେ ନିଜ ହାତରେ ରୋବୋଟ୍ ତିଆରି ଓ ଏହାର ବ୍ୟବହାର ସମ୍ପର୍କରେ ଜ୍ଞାନକୌଶଳ ହାସଲ କରିଛନ୍ତି । ସ୍କୁଲର ପ୍ରିନସିପାଲ୍ ମାନସ ରଞ୍ଜନ ମହାନ୍ତିଙ୍କ ସହଯୋଗରେ ଏହି କୁନିକୁନି ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ରୋବଟ୍ ନିର୍ମାଣ କରିବାକୁ ସକ୍ଷମ ହୋଇପାରିଛନ୍ତି । ଓ୍ବାର୍ଲ୍ଡ ରୋବୋଟିକ୍ସ ଚାମ୍ପିଅନସିପର ୩ ମାସ ପୂର୍ବରୁ ଏମାନେ ପ୍ରସ୍ତୁତି ଆରମ୍ଭ କରିଥିଲେ।
ଏଭଳି ଏକ ଅନ୍ତର୍ଜାତୀୟ ରୋବୋଟିକସ ପ୍ରତିଯୋଗିତାରେ ଓଡିଶା ତଥା ଯାଜପୁର ମାଟିର କୁନିକୁନି ଛାତ୍ରଛାତ୍ରୀଙ୍କୁ ମିଳିପାରିଛି ଏଭଳି ସଫଳତା । ଯାହାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ବିଶ୍ବ ରୋବଟିକ୍ ଚମ୍ପିୟନସିପରୁ ସଫଳତା ଅର୍ଜନ କରି ଫେରିବା ପରେ ଏହି କୃତି ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ଓ ପୁରଷ୍କୃତ କରାଯାଇଛି । ଏଭଳି ସଫଳତା ପାଇଁ ଏମାନଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଓଡ଼ିଶାକୁ ଗୌରବାନିତ୍ବ କରିଥିବା କୁନିକୁନି ଛାତ୍ରଛାତ୍ରୀମାନଙ୍କ ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିତ ।