ବାଲେଶ୍ବର/ଜଳେଶ୍ୱର : ବର୍ଷାରେ ଉତ୍ତର ଓଡ଼ିଶା ବେହାଲ । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଫୁଲୁଛି ଜଳକା । ନଦୀର ଜଳସ୍ତର ବୃଦ୍ଧି ଯୋଗୁ ନଦୀକୂଳିଆ ଲୋକଙ୍କୁ ଘାରିଲାଣି ବନ୍ୟା ଆଶଙ୍କା । ବିପଦ ସଙ୍କେତ ଟପିଲା ଜଳକା । ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୯ଟା ସୁଦ୍ଧା ଏହା ବୃଦ୍ଧି ପାଇ ୬.୭୧ ମିଟରରେ ପ୍ରବାହିତ ହେଉଛି ।
ବାଲେଶ୍ବର ସମେତ ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିବାରୁ ଜଳସ୍ତର ବଢ଼ିବାରେ ଲାଗିଛି। ଲଗାଣ ବର୍ଷା ଯୋଗୁ ବସ୍ତା ବ୍ଲକ ଅନ୍ତର୍ଗତ ସଦାନନ୍ଦପୁର ପଞ୍ଚାୟତ ବାଉଂଶଡିହା ଗାଁ ରାସ୍ତାରେ ୫ ଫୁଟର ଘାଇ ସୃଷ୍ଠି ହୋଇଛି। ଫଳରେ ଯୋଗାଯୋଗ ବିଛିନ୍ନ ହୋଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଲଗାତାର ବର୍ଷାରେ ବୁଢାବଳଙ୍ଗରେ ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି।
କେଉଁଠି ଘାଇ ତ କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚାର ପାଣି । ସହର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ । ବାଲେଶ୍ଵର ସହର ସିଟି କ୍ଲିନିକ୍ ଛକ ନିକଟସ୍ଥ ରାସ୍ତା ଉପରେ ପାଣି। ଫଳରେ ରେମୁଣା ଓ ବାଲେଶ୍ଵର ସହର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଡ୍ରେନେଜ ସମସ୍ୟା ଯୋଗୁଁ ଜଳ ନିଷ୍କାସନ ହୋଇ ପାରୁନାହିଁ ।